ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୪୬୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୧୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୧୧୮୦ଜଣ ସୁସ୍ଥ ହୋଇଛନ୍ତି ।
ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତି। ମହାପ୍ରଭୁ ଆଜିଠାରୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କ ଠାରେ ସ୍ୱତନ୍ତ୍ର ବାଳଧୂପ ନୀତି ହୋଇଥାଏ।
ଆଜି (ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୧୯୪୬ରେ ଜନ୍ମିତ ନବୀନ ଆଜି ୭୬ ବର୍ଷରେ ପାଦ ଦେଲେ । ତେବେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ।
ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାରିଆଢୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ନବୀନଙ୍କୁ ଶୁଭ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଏହାସହ ମୋଦୀ ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି ।
ସେପ୍ଟେମ୍ବର ୧୭ତାରିଖରେ ବେସାମରିକ ବିମାନ ଚଳାଚଳ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖି ମନ୍ଦିରମାଳିନୀ ସହର ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧା ବିମାନ ଚଳାଚଳା ନେଇ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବେ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୁବନେଶ୍ୱରରୁ ଜୟପୁରକୁ ବିମାନ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ନଭେମ୍ବର ୨ରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡିବ ବିମାନ । ଇଣ୍ଡିଗୋ ପକ୍ଷରୁ ଏହି ସେବା ଯୋଗାଇଦିଆଯିବ । ସପ୍ତାହକୁ ୩ ଥର ଚଳାଚଳ କରିବ ବିମାନ । ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୮୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୦ ଲକ୍ଷ ୩୭ ହଜାର ୫୯୨ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୧ ହଜାର ୮୧୪ରେ ପହଞ୍ଚିଛି । ଏବେ ଦେଶରେ ୨୦୩୬୭୮ ସକ୍ରିୟ ମାମଲା ରହିଥିବା ବେଳେ ୩୩୩୮୨୧୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କ୍ରମାଗତ ତୃତୀୟ ଦିନ ପାଇଁ ମହଙ୍ଗା ହୋଇଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର। ଦାମ ବଢ଼ିବା ସହ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ୩୫ ପଇସା ଲେଖାଏ ବଢ଼ିଛି। କେବଳ ଦିଲ୍ଲୀ ନୁହେଁ, ମୁମ୍ବାଇ ଠାରୁ ଆରମ୍ଭ କରି ଭୁବନେଶ୍ୱର ଯାଏ ତୈଳଦର ରେକର୍ଡ ସ୍ତରରେ ରହିଛି । ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୫.୪୯ ଟଙ୍କା ଓ ମୁମ୍ବାଇରେ ଏହା ୧୧୧.୪୩ ଟଙ୍କା ଛୁଇଁଛି। ମୁମ୍ବାଇରେ ଡିଜେଲ ୧୦୨.୧୫ ଟଙ୍କା ଓ ଦିଲ୍ଲୀରେ ଏହା ୯୪.୨୨ ଟଙ୍କା ହୋଇଛି।
ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ଏମଏସ ଧୋନି ଶୁକ୍ରବାର ଦିନ ନିଜ ଦଳ ପାଇଁ ଚତୁର୍ଥ ଟ୍ରଫି ଜିତିବା ସହିତ ଏକ ବିରଳ ରେକର୍ଡ କରିଛନ୍ତି । ସେ ପ୍ରଥମ ଅଧିନାୟକ ଭାବରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୩୦୦ ତମ ମୁକାବିଲା ଖେଳିଥିଲେ । ଧୋନିଙ୍କ ବ୍ୟତୀତ ଏହି ତାଲିକାରେ ଡାରେନ୍ ସାମି (୨୦୮) ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ୨୦୦ ରୁ ଅଧିକ ଟି -୨୦ ରେ ଦଳ ଅଧିନାୟକତ୍ୱ କରିଛନ୍ତି।
ବିଶ୍ବବ୍ୟାପୀ ୨୪ କୋଟି ୩ ଲକ୍ଷ ୪୫ ହଜାର ୮୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୮ ଲକ୍ଷ ୯୬ ହଜାର ୬୩୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୧ କୋଟି ୭୬ ଲକ୍ଷ ୫୫ ହଜାର ୧୯୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।