
ବାସ୍ତବବ୍ୟୁରୋ(ଭୁବନେଶ୍ୱର):୩୦ ଜିଲ୍ଲା ପାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ଚିଠା ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଥିବା ବେଳେ, ୧୨ ଜିଲ୍ଲା ପାଇଁ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ,୪ ଜିଲା ଏସ୍ସି ଓ ୧୦ଟି ଜିଲା ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।
ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ,ଜିଲ୍ଲା ଗୁଡ଼ିକ ହେଲା ଅନୁଗୋଳ, କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି।ଅଣ ସଂରକ୍ଷିତ ଜିଲ୍ଲା ଅଧ୍ୟକ୍ଷ ପଦ ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, କେନ୍ଦ୍ରାପଡ଼ା, ଗଂଜାମ, ଝାରସୁଗୁଡ଼ା, ଢେଙ୍କାନାଳ, ଦେବଗଡ଼, ନୂଆପଡ଼ା, ପୁରୀ, ବରଗଡ଼, ବଲାଙ୍ଗିର, ବୌଦ୍ଧ ଓ ସମ୍ବଲପୁର। କଟକ, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଏସ୍ସି ପାଇଁ ସଂରକ୍ଷିତ ରହିବ। କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ବାଲେଶ୍ୱର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି।
୧୯୯୧ ମସିହା ଓଡ଼ିଶା ଜିଲ୍ଲା ପରିଷଦ ଅଧିନୟମର ଧାରା ୮ ଅନ୍ତର୍ଗତ ଉପଧାରା(୩)ରେ ଅର୍ପିତ କ୍ଷମତା ବଳରେ ଜିଲ୍ଲା ପରିଷଦମାନଙ୍କରେ ଅଧ୍ୟକ୍ଷ ପଦବୀ ନିମନ୍ତେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ କରିଛନ୍ତି, ତାହାର ଏକ କିତା ଚିଠା ଉକ୍ତ ଧାରାର ଉପଧାରା(୪) ଅନୁସାରେ ପ୍ରକାଶ କରାଯାଇଛି।
ବିଜ୍ଞପ୍ତି ପ୍ରକାଶିତ ହେବାର ଦିନଠାରୁ ୧୦ ଦିନ ମଧ୍ୟରେ ସର୍ବସାଧାରଣଙ୍କଠାରୁ ଅଭିଯୋଗ କିମ୍ୱା ପରାମର୍ଶ ଆହ୍ୱାନ କରାଯାଉଛି। ସର୍ବସାଧାରଣ ସେମାନଙ୍କ ଅଭିଯୋଗ ବା ପରାମର୍ଶ ଇ-ମେଲ୍([email protected]/[email protected]) ମାଧ୍ୟମରେ ଦାଖଲ କରିପାରିବେ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମିଳିଥିବା ଅଭିଯୋଗ ବା ପରାମର୍ଶ ଗୁଡ଼ିକୁ ରାଜ୍ୟ ସରକାର ବିଚାରକୁ ନେଇ ଉକ୍ତ ଚିଠା ସଂରକ୍ଷଣ ପ୍ରସ୍ତାବ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।



