
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୦୮।୧୧ – ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର(କାର୍ଟୁନିଷ୍ଟ) କିଶୋର ରଥଙ୍କ ଆଉ ନାହାନ୍ତି।ଦେଖିବାକୁ ମିଳିବନି ସମ୍ବାଦ ଖବର କାଗଜରେ “କିଶୋର କଟାକ୍ଷ” ।ତାଙ୍କର ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ।
ଆଜି(ସୋମବାର) ଭୋର ସମୟରେ ତାଙ୍କର ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ସଂଗେ ସଂଗେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶ୍ରୀ ରଥଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା।
୧୯୬୩ରେ ଜନ୍ମିତ କିଶୋର ରଥ ରାଜ୍ୟର ବେଶ୍ ଜଣାଶୁଣା କାର୍ଟୁନିଷ୍ଟ ଭାବେ ପରିଚିତ ଥିଲେ । ଖଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ ପରେ ପେସାଦର ବ୍ୟଙ୍ଗ ଚିତ୍ରକର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କିଶୋରଙ୍କ ଦ୍ୱାରା ରଚିତ ବହୁ ବ୍ୟଙ୍ଗ କବିତା ଓ ଚିତ୍ର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି। କିଶୋରଙ୍କର ଏହି ବ୍ୟଙ୍ଗ ଚିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।କେବଳ କାର୍ଟୁନ ନୁହେଁ, ନୟାଗଡ଼ ଓ ଗଞ୍ଜାମ ଭଳି ଜିଲ୍ଲାରେ ବେଶ୍ ଲୋକପ୍ରିୟ ଢୁମ୍ପା ସଙ୍ଗୀତରେ ତାଙ୍କର ବିଶେଷ ରୁଚି ଓ ଅଭିଜ୍ଞତା ଥିଲା।
କିଶୋରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଦୁଃଖ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ନିଜର ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।ଆଜି ଏହି ଦୁଖଦ ଖବର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, କଥାକାର,ଚିତ୍ରଶିଳ୍ପୀ ଦୁଃଖ ପ୍ରକାଶ କରିଛନ୍ତି।



