ଆଜିର ଖାସ୍ ଖବର…

ବାସ୍ତବବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୦ ବୃଦ୍ଧି ପାଇଛି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୩ ଜଣ ରହିଛନ୍ତି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୦୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୮୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୯୨୦୪ ଜଣ ସୁସ୍ଥ ହୋଇଛନ୍ତି ।

ସାମୁଦ୍ରିକ ବାତ୍ୟା ‘ଜୱାଦ୍‌’ ଆଉ ବାତ୍ୟା ହୋଇ ନାହିଁ। ଏହା ଦୁର୍ବଳତର ହେବା ସହ ଦିଗ ପରିବର୍ତ୍ତନ କରିବା ଆରମ୍ଭ କରିଥିବା କଥା ଭାରତୀୟ ପାଣିପାଗ ସଂସ୍ଥାନର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ବିଶାଖାପାଟଣା ଠାରୁ ୨୩୦ କିଲୋମିଟର ଦୂର ଦକ୍ଷିଣ ଦିଗରେ ରହିଛି। ସକାଳେ ଦିଗ ପରିବର୍ତ୍ତନ କରି ଏହା ଉତ୍ତର ଦିଗକୁ ଗତି କରୁଛି। ୧୨ ଘଣ୍ଟା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ଆଗାମୀକାଲି ମଧ୍ୟାହ୍ନ ବେଳକୁ ପୁରୀ ପାଖାପାଖି ସମୁଦ୍ରରେ ପହଞ୍ଚିବ।

ଘଣ୍ଟା ପ୍ରତି ୪ କି.ମି. ବେଗରେ ମାଡି ଆସୁଥିବା ବାତ୍ୟା ଜଓ୍ୱାଦ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି।  ଆଗାମୀ ୧୨ ଘଣ୍ଟା ଯାଏ ଏହା ଉତ୍ତର ଦିଗରେ ଗତି କରିବ। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୭ ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ  ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ ନଂ ବିପଦ ସଙ୍କେତ ଜାରି କରାଯାଇଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩୬ ଲକ୍ଷରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୯୯୯୭୪ ସକ୍ରିୟ ମାମଲା ରହିଛି ଏବଂ ୩୪୦୫୩୮୫୬ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏହା ବ୍ୟତୀତ ୪୭୦୫୩୦ ସଂକ୍ରମିତ ପ୍ରାଣ ହରାଇଛନ୍ତି ।  

ଆଜି ଉତ୍ତରାଖଣ୍ଡ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଡେରାଡୁନରେ ପହଞ୍ଚିବା ପରେ ୧୮୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଗମାନଗମନର ଭିତ୍ତିଭୂମି ଓ ପର୍ଯ୍ୟଟନ ସ୍ଥଳୀର ବିକାଶ କ୍ଷେତ୍ରରେ ଅନେକ ଗୁଡ଼ିଏ କାମ ରାଜ୍ୟ ସରକାର ହାତକୁ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୧୧ଟି ବିକାଶ ମୂଳକ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ। ଏଥିରେ ଦିଲ୍ଲୀ-ଡେରାଡୁନ ଇକୋନୋମିକ କୋରିଡର ମଧ୍ୟ ସାମିଲ ରହିଛି। ଏହି ପ୍ରକଳ୍ପ ପାଇଁ ୮୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। 

କର୍ଣ୍ଣାଟକରେ ଦୁଇ ବ୍ୟକ୍ତି କରୋନାର ନୂଆ ଭାରିଆଣ୍ଟ “ଓମିକ୍ରନ” ଚିହ୍ନଟ ହେବା ପରେ ଆଲର୍ଟରେ ସରକାର । ଫଳରେ ବିଭିନ୍ନ ରାଜ୍ୟର ସରକାର କୋଭିଡ ଗାଇଡଲାଇନ କଡାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର ।ମହାରାଷ୍ଟ୍ରରେ ୩୦ ଜଣଙ୍କ ନମୂନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ସେହିଭଳି ରାଜସ୍ଥାନ ଜୟପୁରରେ ଗୋଟିଏ ପରିବାରର ୯ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତା । ପଜିଟିଭ ଚିହ୍ନଟ ସମସ୍ତ ୯ ଜଣଙ୍କୁ ରାଜସ୍ଥାନ ୟୁନିଭରସିଟି ଅଫ ହେଲଥ ସାଇନ୍ସରେ ଆଇସୋଲେସନରେ ରଖାଯାଇଛି ।ସେହିଭଳି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଓମିକ୍ରନ ଭୂତାଣୁ ଜଣାପଡିବା ପରେ ୩୦ ବ୍ୟକ୍ତି ନମୂନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପୁଣେ ଏବଂ ୧୬ ଜଣଙ୍କୁ କସ୍ତୁରବା ହସ୍ପିଟାଲରେ ହୋଇଥିବା ଲ୍ୟାବକୁ ପଠାଯାଇଛି ।

 ବରିଷ୍ଠ ରାଜନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୋନିଜେତି ରୋସାଇଆଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ତାମିଲନାଡୁର ରାଜ୍ୟପାଳ ଭାବେ ମଧ୍ୟ କୋନିଜେତି କାମ କରିଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୬ କୋଟି ୫୧ ଲକ୍ଷ ୩୧ ହଜାର ୩୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୨ ଲକ୍ଷ ୫୭ ହଜାର ୩୩୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୩ କୋଟି ୮୮ ଲକ୍ଷ ୬୨ ହଜାର ୫୯୬ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୧୦ ଲକ୍ଷ ୧୧ ହଜାର ୩୪୮୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏବେ ଭାରତ ସମେତ ୩୮ଟି ଦେଶରେ ତା’ର କାୟା ବିସ୍ତାର କରି ସାରିଛି। ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ ଏଯାଏ ଓମିକ୍ରନ ଭାରିଏଣ୍ଟରେ କାହାର ମୃତ୍ୟୁ ଘଟିନି। ଏକଥା ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓମିକ୍ରନ ପ୍ରଥମେ ଠାବ ହୋଇଥିବା ଦକ୍ଷିଣ ଆଫ୍ରିକାରେ ଏବେ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛୁ।

ପୃଥିବୀ ପୃଷ୍ଠକୁ ମାଡିଆସୁଛି ଆଉ ଏକ ଗ୍ରହାଣୁ । ଯାହାର ନାମ ନାସା ବୈଜ୍ଞାନିକମାନେ ରଖିଛନ୍ତି ଆଷ୍ଟରଏଡ୍‌ ୨୦୧୮-ଏଏଚ୍‌ । ଏହାର ଲମ୍ବ ୧୯୦ ମିଟର । ନାସା ବୈଜ୍ଞାନିକମାନେ ଏହାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।ସେମାନଙ୍କ କହିବାନୁଯାୟୀ ଚଳିତମାସ ୨୭ ତାରିଖରେ ଏହା ପୃଥିବୀର ଅତି ନିକଟ ଦେଇ ଯିବ । ଏହା ପୃଥିବୀରେ ମାଡ ହେବାର ଆଶଙ୍କା ନାହିଁ । ତଥାପି ଯଦି ମାଡ ହୁଏ ତେବେ ହୀରୋସିମା ଓ ନାଗାସାକି ପରମାଣୁ ବୋମା ଠାରୁ ଆହୁରି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ସେମାନେ କହିଛନ୍ତି । ଏହା ପୃଥିବୀ ଠାରୁ ୪୫ ଲକ୍ଷ କି.ମି. ଦୂରରେ ଅତିକ୍ରମ କରିବ ।

ଆଜି ଦେଖିବାକୁ ମିଳିବ ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ । ସୂର୍ଯ୍ୟେପରାଗ ୪ ଘଣ୍ଟା ୮ ମିନିଟ ପର୍ଯ୍ୟନ୍ତ ରହିବ। ଏହା ଅପରାହ୍ନ ୧୨ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୧୨ଟାରୁ ୧ଟା ୩ ପର୍ଯ୍ୟନ୍ତ ଏହାର ଚରମ ସ୍ଥାନରେ ପହଞ୍ଚିବ। ଆଂଶିକ ସୂର୍ଯ୍ୟୋଗ୍ରହଣ ପୂର୍ବାହ୍ନ ୧୦ଟା ୫୯ରୁ ଆରମ୍ଭ ହୋଇ ୧୨ଟା ୩୦ ପର୍ଯ୍ୟନ୍ତ ଜାରି ରହିବ। ପରାଗ ଅପରାହ୍ନ ୩ଟା ୭ରେ ସଂପୂର୍ଣ୍ଣ ଶେଷ ହେବ। ତେବେ ଭାରତରେ ୨୦୨୧ର ଶେଷ ସୂର୍ଯ୍ୟେପରାଗ ଦୃଶ୍ୟମାନ ହେବ ନାହିଁ। ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାର କିଛି ସ୍ଥାନରେ ଏହା ଆଂଶିକ ଭାବରେ ଦେଖାଯିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନାର ଅନ୍ୟ ଭାରିଆଣ୍ଟ ଅପେକ୍ଷା ଓମିକ୍ରନ୍ କେତେ ବିପଜ୍ଜନକ ?

Sat Dec 4 , 2021
ବାସ୍ତବବ୍ୟୁରୋ:ବର୍ତ୍ତମାନର କୌଣସି ପ୍ରମାଣ ନାହିଁ ଯେ କରୋନାଭାଇରସ୍ ର ନୂତନ ରୂପ, ଓମିକ୍ରନ୍, ଅନ୍ୟ ଲକ୍ଷଣ ଅପେକ୍ଷା ଅଧିକ ବିପଜ୍ଜନକ ଅଟେ କିମ୍ବା ଏହା ବିରୁଦ୍ଧରେ ଥିବା ଟିକା କିମ୍ବା ଚିକିତ୍ସା ପ୍ରଭାବହୀନ ଅଟେ | ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ସମ୍ବାଦରେ ଏହା କୁହାଯାଇଛି। ‘ଚ୍ୟାନେଲ ନ୍ୟୁଜ୍ ଏସିଆ’ର ଖବର ଅନୁଯାୟୀ ମନ୍ତ୍ରଣାଳୟ କହିଛି ଯେ ଓମିକ୍ରନ୍‌ରେ ସଂକ୍ରମିତ ଦୁଇଜଣ ବ୍ୟକ୍ତି ସିଙ୍ଗାପୁରରୁ ମାଲେସିଆ ଏବଂ ଅଷ୍ଟ୍ରେଲିଆ ଯାତ୍ରା […]

You May Like

Pin It on Pinterest