
ଭୁବନେଶ୍ୱର (ବାସ୍ତବବ୍ୟୁରୋ): ସ୍ଥଳଭାଗ ମୁହାଁ ବାତ୍ୟା ‘ଜୱାଦ’।ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ‘ଜୱାଦ’ ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ‘ଜୱାଦ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣପୂର୍ବ ଦିଗର ୨୫୦ କିମି ଦୂରରେ ରହିଛି । ଗୋପାଳପୁରଠାରୁ ଦକ୍ଷିଣରେ ଏହା ୩୬୦ କିଲୋମିଟରରେ ଦୂରରେ ରହିଥିବାବେଳେ,ପୁରୀଠାରୁ ଏହା ୪୩୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ସେହିପରି ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୧୦ କିମି ଦୂରରେ ରହିଛି ।
ଆସନ୍ତାକାଲି ମଧ୍ୟାହ୍ନରେ ବାତ୍ୟା ‘ଜୱାଦ,ପୁରୀ ଜିଲ୍ଲା ଉପକୂଳ ନିକଟରେ ପହଞ୍ଚି ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେବାନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଉପକୂଳ ପହଞ୍ଚିବା ପରେ ବାତ୍ୟା କ୍ରମେ ଦୁର୍ବଳ ହେବ । ଏ ସମୟରେ ଅମାବାସ୍ୟା କାରଣରୁ ସମୁଦ୍ର ଅଶାନ୍ତ ରହିବ ଓ ସର୍ବାଧିକ ୫ ମିଟର ଉଚ୍ଚର ଜୁଆର ବି ଉଠିପାରେ ବୋଲି ଆଇଏମଡି ଡିଜି ଅନୁମାନ କରିଛନ୍ତି ।



