
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜୁବାବୁଙ୍କ କର୍ମ ଭୂମି,କେନ୍ଦ୍ରାପଡା ବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ସହ ୧୫୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭେଟି ଦେଇଛନ୍ତି ।ଭିଡ଼ିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ୩ ଲକ୍ଷ ପରିବାରର ମୋଟ ୧୧ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସହ ଜଳସେଚନଠାରୁ ଆରମ୍ଭ କରି ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ପାନୀୟ ଜଳର,ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିସହ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜୁ ବାବୁଙ୍କ କର୍ମଭୂମି ଥିଲା କେନ୍ଦ୍ରାପଡ଼ା । ଆଜି ବି କେନ୍ଦ୍ରାପଡ଼ାର ମାଟି, ପାଣି ଓ ପବନରେ ବିଜୁ ବାବୁ ରହିଛନ୍ତି । ଏବେ କେନ୍ଦ୍ରାପଡ଼ା ଦେଶର ଇଣ୍ଡଷ୍ଟ୍ରି ମ୍ୟାପରେ ଯୋଡି ହେବାକୁ ଯାଉଛି । ଏହା କେନ୍ଦ୍ରାପଡ଼ାକୁ ବିକାଶ ପଥରେ ଆଗେଇ ନେବ ।
ମୁଖ୍ୟମନ୍ତ୍ରୀଆହୁରି ମଧ୍ୟ କହିଛନ୍ତି କି ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଅଣାଯାଇଛି । ରାଜ୍ୟର ୯୬ ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ଦିଆଯିବ । ଆଉ ଏହାଦ୍ୱାରା ସାଢେ ୩ କୋଟିରୁ ଅଧିକ ଲୋକ ଉପକୃତ ହେବେ । କୌଣସି ଲୋକ ଯେପରି ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ନ ହେବେ ତାହାକୁ ଦୃଷ୍ଟିରେ ରଖି ଏହି କାର୍ଡ ବଣ୍ଟାଯାଉଛି । ପ୍ରାୟ ୨୦୦ଟି ହସ୍ପିଟାଲରେ ଏହି କାର୍ଡ ଦେଖାଇ ମାଗଣା ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ । ଏହି କାର୍ଡରେ ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସୁବିଧା ଯୋଗାଇଦେବେ ସରକାର । ଏଭଳି ସୁବିଧା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।