
ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଆଜି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁସାରେ ରାଜ୍ୟରେ ପୌର ନିର୍ବାଚନକୁ ଶୀଘ୍ର ସାରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ବହୁଚର୍ଚ୍ଚିତ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀକୁ ନେଇ ଜାରିରହିଥିବା ଉତ୍କଣ୍ଠାର ଅନ୍ତ ଘଟିଛି । ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ଭୁବନେଶ୍ୱର ମହାନଗର ନିଗମ । କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ରଖାଯାଇଥିବାବେଳେ, ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।
ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା ଉପରେ ଆପତ୍ତି-ଅଭିଯୋଗ ଥିଲେ ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି। ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ର ଧାରା ୧୪ର ଉପଧାରା ୩ ଓ ୪ ଅନ୍ତର୍ଗତ ଏବଂ ଓଡ଼ିଶା ମହାନଗର ନିଗମ ରୁଲସ-୨୦୦୩ର ରୁଲ-୮୦(୮) ର ପ୍ରାବଧାନ ଅନୁସାରେ ମହାନଗରଗୁଡ଼ିକର ମେୟର ପଦବୀକୁ ସଂରକ୍ଷିତ ରଖିବାକୁ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି ।



