
ଦେବବ୍ରତ ପଣ୍ଡା(ଯାଜପୁର):ଯାଜପୁର ଜିଲ୍ଲା ଧର୍ମଶାଳାର ଶିଶୁ କନ୍ୟା,୭ହଜାର ଟଙ୍କାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ବିକ୍ରି। ଏହି ଘଟଣାରେ ଧର୍ମଶାଳା ପୁଲିସ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଶିଶୁ କନ୍ୟାକୁ ବିକ୍ରି କରିଥିବା ବାପା, ଦୁଇ ଜଣ କ୍ରେତା ଓ ଦୁଇଜଣ ମଧ୍ୟସ୍ଥି ଥିବା ପୁଲିସ ସୂଚନା ଦେଇଛି ।
ସୂଚନା ଅନୁସାରେ,ଗତ ୨୭ତାରିଖରେ ଧର୍ମଶାଳା ଥାନା ସାନରାଏପଡା ଗ୍ରାମର ନଟ ବେହେରାଙ୍କ ପତ୍ନୀ କାଞ୍ଚନ ବେହେରା ଧର୍ମଶାଳା ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ୨୮ତାରିଖ ଦିନ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ କନ୍ୟାର ବାପା ନବ ଜନ୍ମିତ ଶିଶୁ କନ୍ୟାକୁ ୭ହଜାର ଟଙ୍କାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଞ୍ଚଳର ଦମ୍ପତିକୁ ବିକ୍ରି କରିଦେଇଥିଲେ ।
ଏହି ଘଟଣା ଗତକାଲି ପ୍ରଚାରିତ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ଘଟଣାର ତଦନ୍ତ କରିଥିଲା । ଏନେଇ ବିଭାଗ ପକ୍ଷରୁ କୋତପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତେବେ ଗତକାଲି ରାତିରେ ବିକ୍ରି ଶିଶୁ କନ୍ୟାଟିକୁ ଉଦ୍ଧାର କରାଯିବା ସହ ଆଜି ଏହି ଘଟଣାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମହାକାଳପଡା ଅଂଚଳର ଦମ୍ପତି କୈଳାସ ବାରିକ ଓ ସସ୍ମିତା ବାରିକ, ମଧ୍ୟସ୍ଥତା କରିଥିବା ଅଙ୍ଗନୱାଡି କର୍ମୀ ପ୍ରଭାସିନୀ ଦାସ ଏବଂ ତାଙ୍କ ଭାଇ ଦୀପକ ଦାସଙ୍କ ସମେତ ଶିଶୁ କନ୍ୟାର ବାପା ନଟବର ବେହେରା ରହିଥିବା ପୁଲିସ ସୂଚନା ଦେଇଛି ।



