ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୯୭ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୮୩୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୫୨୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୩୭୯୭୬ଜଣ ସୁସ୍ଥ ହୋଇଛନ୍ତି ।
ଆଜି ପଞ୍ଚାୟତ ନିର୍ବାଚନର ପରିଚାଳନା ଓ କୋଭିଡ଼ କଟକଣାର ଅନୁପାଳନ ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବୈଠକ ବସିଥିଲା । ଭର୍ଚୁଆଲ୍ ମାଧ୍ୟମରେ ବସିଥିବା ଏହି ବୈଠକରେ ସମସ୍ତ ଜିଲ୍ଲାପାଳମାନ ଉପସ୍ଥିତ ରହିଥିଲେ । ଆଜିର ଏହି ସମୀକ୍ଷା ବୈଠକ କେତେକ କଟକଣାକୁ କୋହଳ କରାଯାଇଛି । ତେବେ କୋହଳ ହୋଇଥିବା କଟକଣା ଗୁଡିକ ହେଉଛି- ୩ଶହ ଲୋକଙ୍କୁ ନେଇ ସଭା ଏବଂ ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ କରିପାରିବେ ଡୋର ଟୁ ଡୋର କ୍ୟାମ୍ପେନିଂ । ଆଉଟ ଡୋର ମିଟିଙ୍ଗକୁ ନେଇ ନିର୍ବାଚନ କମିଶନ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି ।
ଆଜି ପବିତ୍ର ମାଘ ସପ୍ତମୀ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷର ପ୍ରସିଦ୍ଧ ଚନ୍ଦ୍ରଭାଗାର ମାଘ ବୁଡ଼ ପଡିଛି। ଶ୍ରଦ୍ଧାଳୁ ମାନଙ୍କୁ ପ୍ରଥମରୁ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇବାକୁ ବାରଣ କରା ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ଏହି ୧୪୪ ଧାରା ଏହି ଆଜି ସକାଳ ୯ ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ।
ଆଜିଠୁ ଖୋଲିଲା ଅଷ୍ଟମରୁ ତଦୁର୍ଦ୍ଧ ଶ୍ରେଣୀ । ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍ ଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି । ଏଥିସହ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩୮୭୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୯୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୧ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୧୦୮୯୩୮ ସକ୍ରିୟ ମାମଲା ରହିଛି ଏବଂ ୪ କୋଟିରୁ ଅଧିକ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୦୨୮୭୪ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଲତା ମଙ୍ଗେସ୍କର୍ଙ୍କ ସମ୍ମାନାର୍ଥେ ଆଜି ରାଜ୍ୟସଭା ତା’ର ଅଧିବେଶନକୁ ପୂର୍ବାହ୍ନ ୧୧.୦୫ ବା ୧ଘଣ୍ଟା ପର୍ଯ୍ୟନ୍ତ ମୁଲତବୀ ରଖିଛି। ଲତାଙ୍କ ସ୍ମୃତିରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ରାଜ୍ୟସଭାର ଅଧ୍ୟକ୍ଷ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍ ଆମ୍ବାସାଡର୍’ ଭାବେ କାର୍ଯ୍ୟ କରିବାକୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ରାଜି ହୋଇଥିବା କଥା ଆଜି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି।ଡେରାଡୁନ୍ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି ଅଭିନେତା ଅକ୍ଷୟ କୁମାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଥିଲେ। ଉଭୟଙ୍କ ସାକ୍ଷାତ୍ପରେ ଧାମୀ କହିଥିଲେ କି, ସେ ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍ ଆମ୍ବାସାଡର୍’ ଭାବେ କାମ କରିବାକୁ ରାଜି ହୋଇଛନ୍ତି।
ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ସ୍ମୃତିରେ ବଡ଼ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଲତା ଦିଦିଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ନାଁରେ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଇନ୍ଦୋରରେ ତାଙ୍କ ନାଁରେ ମ୍ୟୁଜିୟମ, ମ୍ୟୁଜିକ ବିଶ୍ୱବିଦ୍ୟାଳୟ, ଏକାଡେମି ଓ ତାଙ୍କର ଗୋଟିଏ ଷ୍ଟାଚ୍ୟୁ ପ୍ରତିଷ୍ଠା ହେବ। ମଧ୍ୟପ୍ରଦେଶ ସରକାର ଏସବୁ ଲତା ଦିଦିଙ୍କ ପାଇଁ କରିବେ ।
କରୋନା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଅଷ୍ଟ୍ରେଲିଆ ସୀମା ପୁଣି ଖୋଲିବ। ଏବେ ସଂକ୍ରମଣ ପ୍ରାୟତଃ କମି ସାରିଥିବାରୁ ଅଷ୍ଟ୍ରେଲିଆ ସରକାର ଫେବୃଆରୀ ୨୧ରୁ ନିଜର ସୀମା ସମସ୍ତଙ୍କ ପାଇଁ ଖୋଲିବାକୁ ଘୋଷଣା କରିଛନ୍ତି।
ଭାରତକୁ ମିଳିଛି କରୋନା ବିରୋଧୀ ସିଙ୍ଗଲ ଡୋଜ୍ ଟିକା। ରବିବାର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଦେଶରେ ସ୍ପୁଟନିକ ଲାଇଟ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି।



