
ତ୍ରିନାଥ ବାରିକ(ପୁରୀ):୧୫।୨- ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ପ୍ରଥମେ ରାଜଭବନ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୪୦ଜଣ ଅଧିକାରୀ ଓ ୨୦୦ ପୋଲିସ ଅଫିସର ନିୟୋଜିତ ହେବେ । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
୧୯ ତାରିଖ ଅପରାହ୍ନ ୨ଟା ୪୫ରେ ରାଷ୍ଟ୍ରପତି,ଭୁବନେଶ୍ବର ବିମାନବନ୍ଦର ଓ ୩ଟା ୨୫ମିନିଟରେ ପୁରୀ ହେଲିପ୍ୟାଡରେ ପହଞ୍ଚିବା ପରେ ରାଜଭବନରେ ଅବସ୍ଥାନ କରିବେ । ଏହାପରେ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫ଟା ୪୫ମିନିଟରେ ବାହାରିବେ। ଶ୍ରୀମନ୍ଦିର ଭିତରେ ସେ ୪୫ମିନିଟ୍ ସମୟ ଅତିବାହିତ କରିବେ। ମଙ୍ଗଳବାର ଅତିରିକ୍ତ ଡିଜି ରାକେଶ କୁମାର ଶର୍ମା ପ୍ରଥମେ ତାଳବଣିଆ ହେଲିପ୍ୟାଡ, ପରେ ଘରୋଇ ହୋଟେଲ, ରାଜଭବନ ଏବଂ ପରେ ବଡ଼ଦାଣ୍ଡ ସ୍ଥିତ ଗୌଡୀୟ ମଠ ଓ ଶରଧାବାଲି ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।
ଶ୍ରୀମନ୍ଦିର, ଶ୍ରୀମନ୍ଦିର ଭିତରେ ଓ ବାହାରେ, ରାଜଭବନ, ରାଷ୍ଟ୍ରପତିଙ୍କ ଦର୍ଶନ, ଶରଧାବାଲି ସଭାସ୍ଥଳ ଓ ସେଠାରୁ ଫେରିବାର ପ୍ରତ୍ୟେକଟି ଦିଗକୁ ନେଇ ସୁରକ୍ଷା ବ୍ୟବସ୍ଥାର ତର୍ଜମା କରିଛନ୍ତି ଅତିରିକ୍ତ ଡିଜି। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ଅପରାହ୍ନ ୪ଟାରୁ ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତି ୨୦ତାରିଖ ସକାଳ ୧୦ଟା ୩୫ମିନିଟ୍ରେ ଶ୍ରୀଚୈତନ୍ୟ ଗୌଡୀୟ ମଠ ଯାଇ ପରିଦର୍ଶନ କରିବେ। ସେଠାରେ ମଠ ପକ୍ଷରୁ ଶଙ୍ଖଧ୍ଵନି, ସଙ୍କୀର୍ତ୍ତନ ମଧ୍ୟରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରାଯିବ। କୋଭିଡ କଟକଣା ମଧ୍ୟରେ ମଠର ୪୦ଜଣ ଆଚାର୍ଯ୍ୟ ଉପସ୍ଥିତ ରହିବେ।
ଭାରତବର୍ଷର ବିଭିନ୍ନ ସ୍ଥାନରୁ ମଠ ଶାଖାର କର୍ମକର୍ତ୍ତା, ସାଧୁସନ୍ଥ ଯୋଗଦେବେ। ଏହାପରେ ମଠରୁ ବାହାରି ୧୧ଟାରେ ଶରଧାବାଲିରେ ଆୟୋଜିତ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ବାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଏହି ଭବ୍ୟ ସାରସ୍ଵତ କାର୍ଯ୍ୟକ୍ରମରେ ଶ୍ରୀ ଚୈତନ୍ୟଙ୍କ ବାଣୀ, ଆଦର୍ଶ, ନୀତି ଓ ଜୀବନାଦର୍ଶ ସଂପର୍କରେ ଆଲୋଚନା କରାଯିବ।ସୂଚନା ଅନୁଯାଇ ଏହି କାର୍ଯ୍ୟକ୍ରମରେ ୬୦୦ ମଠ କର୍ମକର୍ତ୍ତା ଯୋଗଦେବାର ସ୍ଥିର କରାଯାଇଛି ।



