
ଭୁବନେଶ୍ବର(ପ୍ରମୋଦ ନାୟକ) : ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହୋଇଥିବା ଭାରତର ପ୍ରଥମ ମହିଳା ବିଜନେସ୍ ମେଳାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି ଯେ, ଓଡ଼ିଶାରେ ଆମର ମିସନ ଶକ୍ତି କାର୍ଯ୍ୟକ୍ରମ ହେଉଛି ମହିଳା ସଶକ୍ତୀକରଣର ଏକ ପ୍ରତୀକ। ଏହା ଜରିଆରେ ଗ୍ରାମୀଣ ଓଡ଼ିଶାରେ ମହିଳାମାନଙ୍କ ମଧ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି। ଓଡ଼ିଶାରେ ଦେଶର ପ୍ରଥମ ମହିଳା ବିଜନେସ୍ ମେଳା ଆୟୋଜନ କରିଥିବାରୁ ସେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି)ର ମହିଳା ଉଦ୍ୟୋଗୀ ପରିଷଦ (ଆଇଡବ୍ଲୁଇସି)କୁ ଅଭିନନ୍ଦନ ଜଣାଇଛନ୍ତି।
ଏବେ ପରିଷଦରେ ୧୨୦ରୁ ଅଧିକ ମହିଳା ଉଦ୍ୟୋଗୀ ସଦସ୍ୟ ଅଛନ୍ତି। ଆଗାମୀ ଦିନରେ ସେମାନଙ୍କ ସଂଖ୍ୟା ୫୦୦ରୁ ଅଧିକ ହେଉ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କାମନା କରିଛନ୍ତି। ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କୁ ସରକାର ସର୍ବଦା ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ଶିକ୍ଷା ଓ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି ଯେ ମହିଳା ଉଦ୍ୟୋଗୀମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ହେଉଛି ଏକ ବିପ୍ଳବ ।
ରାଜ୍ୟର କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରର ଅବଦାନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ୫୦ ପ୍ରତିଶତ ଶ୍ରମ ଶକ୍ତି କୃଷି କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ଗତ ୨୦ ବର୍ଷ ଭିତରେ ରାଜ୍ୟରେ ଅନେକ ପରିବର୍ତ୍ତନ ଘଟିଛି। ୨୦୨୦ରେ ଦୈନିକ ୨୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ଏବେ ତାହା ୮୦ ଲକ୍ଷକୁ ବୃଦ୍ଧି ପାଇଛି। ମାଛ ଉତ୍ପାଦନ ଏହି ସମୟରେ ୨.୫୦ ଲକ୍ଷ ଟନ୍ରୁ ବୃଦ୍ଧି ପାଇ ୮ ଲକ୍ଷ ଟନ୍ ହୋଇଛି। ଚାଉଳରେ ଓଡ଼ିଶା ବଳକା ରାଜ୍ୟ ହୋଇପାରିଛି। ରାଜ୍ୟରୁ ୧୦୦୦ ଟନ୍ ଚାଉଳ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକୁ ରପ୍ତାନି କରାଯାଇଛି ବୋଲି ସେ କହିଛନ୍ତି।
ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ କୃଷି କ୍ଷେତ୍ରର ଅବଦାନ ୨୮% ରହିଛି ଯାହା ଜାତୀୟ ହାର (୧୯-୨୦%) ଠାରୁ ଅଧିକ। ଯଦି ଏହି ହାର ଆହୁରି ବଢ଼ିବ ତେବେ ଅଧିକରୁ ଅଧିକ ଶ୍ରମ ଶକ୍ତି କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରରେ ନିୟୋଜିତ ହୋଇପାରିବେ ବୋଲି ଶ୍ରୀ ସାହୁ କହିଛନ୍ତି।