ମନୋଜ ମହାନ୍ତି(ଭୁବନେଶ୍ବର):‘ଫିଟ୍ନେସ୍ କୀ ଡୋଜ୍, ଅଧଘଣ୍ଟା ରୋଜ୍।ଜୁନ ୩ ତାରିଖ ଶୁକ୍ରବାର ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ବିଶ୍ୱ ସାଇକେଲ ଦିବସ ପାଳନ କରୁଛି। ଏଥି ପାଇଁ ଯୁବ ବ୍ୟାପାର ବିଭାଗ ବିଭିନ୍ନ କାର୍ଯ୍ୟକଳାପ ହାତକୁ ନେଇଛି, ଯଥା ଦିଲ୍ଲୀରେ ବିଶ୍ୱ ସାଇକେଲ ଦିବସ ପାଳନ, ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସାଇକେଲ ଶୋଭାଯାତ୍ରା, ଦେଶର ୭୫ଟି କୀର୍ତ୍ତି ସ୍ଥଳକୁ ଶୋଭାଯାତ୍ରା ଓ ଦେଶର ସମସ୍ତ ବ୍ଲକରେ ରାଲି।
କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ରୁ ଏହି ଦେଶବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଅବସରରେ ଶ୍ରୀ ଠାକୁର ୭୫୦ ଯୁବ ସାଇକେଲ ଆରୋହୀଙ୍କ ସହ ୭.୫ କିଲୋମିଟର ସାଇକେଲରେ ଯାତ୍ରା କରିବେ। ପରେ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ୭୫ଟି କୀର୍ତ୍ତିରାଜି ସମ୍ପନ୍ନ ସ୍ଥାନରୁ ସାଇକେଲ ଶୋଭାଯାତ୍ରା ବାହାର କରାଯିବ।ଦେଶର ସମସ୍ତ ବ୍ଲକ୍ରୁ ଏଥିରେ ୭୫ ଜଣ ଅଂଶଗ୍ରହଣକାରୀ ସ୍ୱେଚ୍ଛାକୃତ ଭାବେ ସାଇକେଲ ଶୋଭାଯାତ୍ରା କରିବେ।
ଏହି ସାଇକେଲ ଦିବସ ଉପଲକ୍ଷେ ଭୁବନେଶ୍ଵର ଓ ପୁରୀଠାରେ ମଧ୍ୟ ସାଇକେଲ ରାଲି ଆୟୋଜିତ ହେଉଛି । ଦେଶବ୍ୟାପୀ ସାଇକେଲ ରାଲି ଅନୁଷ୍ଠିତ ହେଉଥିବାବେଳେ ଗୋଟିଏ ଦିନରେ ୧ଲକ୍ଷ ୨୯ହଜାର ଯୁବ ସାଇକେଲ ଆରୋହୀ ୯.୬୮ଲକ୍ଷ କିଲୋମିଟରରୁ ଅଧିକ ଦୂରତ୍ୱ ଅତିକ୍ରମ କରିବେ। ଶରୀରକୁ ସୁସ୍ଥ, ସବଳ ଓ ସତେଜ ରଖିବା ସହ ପୃଥୁଳତ୍ୱ, ଆଳସ୍ୟଭାବ, ମାନସିକ ଚାପ ଓ ରୋଗରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଦୈନନ୍ଦିନ ଜୀବନରେ ସାଇକେଲ ଚାଳନା ପାଇଁ ଗୁରୁତ୍ୱ ଦିଆଯାଉଛି।
ବିଶ୍ୱ ସାଇକେଲ ଦିବସ ଅବସରରେ ଦିନକୁ ଅନ୍ୟୂନ ଅଧଘଣ୍ଟା ଶାରୀରିକ କାର୍ଯ୍ୟକଳାପ ନିମନ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦିଆଯିବ- ତାହା ହେଲା ‘ଫିଟ୍ନେସ୍ କୀ ଡୋଜ୍, ଅଧଘଣ୍ଟା ରୋଜ୍।’ ବିଶ୍ୱ ସାଇକେଲ ଦିବସ ଅବସରରେ ଏଥିରେ ଅଧିକରୁ ଅଧିକ ବ୍ୟକ୍ତି ସଂଶ୍ଳିଷ୍ଟ ହେବାକୁ ସମସ୍ତଙ୍କୁ ନିବେଦନ କରାଯାଇଛି।



