
ଭୁବନେଶ୍ୱର ୨୪/୦୬: ସ୍ତବ୍ଧ ହୋଇଯାଇଛି ଓଲିଉଡ । ଆତ୍ମହତ୍ୟା କରିଛନ୍ତି ବରିଷ୍ଠ ଅଭିନେତା ରାଇମୋହନ ପରିଡା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡରେ ଶୋକର ଛାୟା, ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା କାହିଁକି ରାହିମୋହନ କଲେ ଆତ୍ମହତ୍ୟା ?
ଘଟଣା ଜଣାପଡିବା ପରେ ତାଙ୍କ ବାସଭବନରେ କଳାକାରଙ୍କ ଭିଡ ଲାଗିଛି । ସୂଚନା ଥାଉକି ଓଡିଆ ଇଣ୍ଡଷ୍ଟ୍ରିଜରେ ଜଣେ କଳାକାର ହିସାବରେ ଥିଲା ତାଙ୍କର ଖ୍ୟାତି । ବିଶେଷକରି ଜଣେ ଖଳନାୟକ ହିସାବରେ ସେ ଥିଲେ ଘରେ ଘରେ ପରିଚିତ ।
ପ୍ରାୟ ନବେରୁ ଅଧିକ ଓଡ଼ିଆ ୧୫ରୁ ଅଧିକ ବଙ୍ଗଳା ସିନେମାରେ ଅଭିନୟ କରିଛନ୍ତି ରାଇମୋହନ । କେବଳ ଓଲିଉଡ ନୁହେଁ ଯାତ୍ରା ଜଗତରେ ବି ସେ ଥିଲେ ଆଗ ଧାଡ଼ିର କଳାକାର । କେବଳ ଅଭିନୟ ନୁହେଁ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ବି ଦେଇଛନ୍ତି । ଖାସ୍ କଥା ହେଉଛି ରାଇମୋହନ ପରିଡା କୁନାଲ ପରିଡା ଭାବେ ବେଶ ଜଣାଶୁଣା ଥିଲେ ।
୧୯୬୩ ଜୁଲାଇ ୧୦ରେ କେନ୍ଦୁଝରରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ ପରିଡା । ୧୯୯୮ ସିଂହବାହିନୀ, ସୁନାଭାଉଜରେ ତାଙ୍କ ଅଭିନୟ ଥିଲା ବେଶ ଜୀବନ୍ତ । ତାଙ୍କ ଅଭିନୟରେ ମତୁଆଲା ହୋଇଥିଲେ ଦର୍ଶକ ।ଯାତ୍ରାଜଗତର ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାରଙ୍କ ଭିତରୁ ଜଣେ ଥିଲେ ରାଇମୋହନ।
ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ସେ ଅଭିନୟ ଶିକ୍ଷା କରିଥିଲେ । ୧୯୮୫ ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ କ୍ୟାରିୟର । ୧୯୮୭ରେ ସାଗର ସିନେମାରେ ପ୍ରଥମ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପୂର୍ବରୁ ସେ ସତ ମିଛରେ ଅଭିନୟ କରିଥିଲେ । ରାମ ଲକ୍ଷ୍ମଣ, ଆସିବୁ ସାଜିକେବେ ମୋ ରାଣୀ, ନାଗ ପଞ୍ଚମୀ, ଉଦଣ୍ଡୀ ସୀତା, ତୁ ଥିଲେ ମୋ ଡର କାହାକୁ, ରଣଭୂମି, ମେଣ୍ଟାଲ ଟୋକା ପ୍ରଭୃତି ଅନେକ ଚଳଚିତ୍ରରେ ଛାଡ଼ିଯାଇଛନ୍ତି ତାଙ୍କର ନିଖୁଣ ଅଭିନୟ ।