
ପ୍ରମୋଦ ନାୟକ(ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାର ଗର୍ବ ଗୌରବ ଚାଷୀକୁଳଙ୍କୁ ନୂଆଖାଇ ଭେଟି ।୪୧ଲକ୍ଷ ଛୋଟ ଚାଷୀ ଓ ୮୫ହଜାର ଭୂମିହୀନ ଚାଷୀଙ୍କୁ ‘କାଳିଆ’ ସହାୟତା ପ୍ରଦାନ । ଏହି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ କରି ମୋଟ୍ ୮୬୯ କୋଟି ଟଙ୍କା ଜମା କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି କି,ନୂଆଁଖାଇ ମାଟି ମା’ର ପର୍ବ, ଆମର ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁଁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ। ତେଣୁ ଚାଷୀ ଆମର ଗର୍ବ ଓ ଗୌରବ। ଏହି ପବିତ୍ର ଦିନରେ ମୋର ଚାଷୀ ଭାଇ ଓ ଭଉଣୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି। କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା। ଛୋଟ ଚାଷୀଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି। ଭୂମିହୀନ ଚାଷୀଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି। ଗତ ମେ’ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଆମ ଚାଷୀ ଭାଇମାନଙ୍କୁ ୮୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା। ମୁଁ ଆଶା କରୁଛି, ଏହି ସହାୟତା ଆପଣଙ୍କ ଚାଷ କାମକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଚଳିତ ବନ୍ୟା ଯୋଗୁ ଆପଣମାନେ ସମସ୍ତେ ଚିନ୍ତାରେ ଅଛନ୍ତି। ମୁଁ କହିବାକୁ ଚାହେଁ, ମୁଁ ସବୁ ସମୟରେ ଆପଣମାନଙ୍କ ସାଥୀରେ ଅଛି। ଖୁବ୍ ଶୀଘ୍ର ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ଆପଣମାନଙ୍କୁ ଖୁବ୍ ଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ। ଓଡ଼ିଶାର ଗୌରବକୁ ଆମର ଚାଷୀଭାଇ ମାନେ ଉଜ୍ଜ୍ବଳ କରିଛନ୍ତି। ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତେଣୁ ରାଜ୍ୟର ସବୁ ଲୋକ ଚାଷୀଭାଇଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।