
ଦୀପକ ସାହୁ(କଳାହାଣ୍ଡି):କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଠାରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶରେ ସାମ୍ବାଦିକଙ୍କ ସହଭାଗିତା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଆଇ.ଆଇ.ଏମ୍.ସି.ଢେଙ୍କାନାଳର ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ବିକାଶରେ ସାମ୍ବାଦିକଙ୍କ ସହ-ଭାଗୀତା ସହ କିଭଳି ଜିଲ୍ଲାର ବିକାଶ ପାଇଁ ସାମ୍ବାଦିକ ମାନେ କାର୍ଯ୍ୟକରିବେ, ସେ ଦିଗରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହାସହ ସାମ୍ବାଦିକତା ଜନସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବା ସହିତ ସାମାଜିକ, ଅର୍ଥନୈତିକ, ଶୈକ୍ଷିକ, ବୌଦ୍ଧିକ ତଥା ସାଂସ୍କୃତିକ ବିକାଶ ଏବଂ ସେସବୁର ସଂରକ୍ଷଣ ଦିଗରେ ଉଭୟ ଜନସାଧାରଣ ଏବଂ ପ୍ରଶାସନିକ କଳକୁ ଦିଗ୍ଦର୍ଶନ ପ୍ରଦାନ କରିବାରେ ବ୍ରତୀ ହେବା ଆବଶ୍ୟକ । ଏହା ସାମ୍ବାଦିକତାର କର୍ତବ୍ୟ । ତୃଣମୂଳ ସ୍ତରରେ ସ୍ଥିତି ଓ ସୁଯୋଗର ସନ୍ଧାନ କରି ସାମ୍ବାଦିକତା ସମାଜକୁ ବିକାଶ ପଥରେ ଆଗକୁ ନେଇପାରେ ।
ସରକାରଙ୍କ ନୀତି ଓ ଯୋଜନା ସଂପର୍କରେ ଲୋକମାନଙ୍କୁ ଜଣାଇବା ସହିତ ଲୋକମାନଙ୍କ ଆବଶ୍ୟକତାକୁ ସଠିକ୍ ଭାବେ ଉପସ୍ଥାପନ କରି ସାମ୍ବାଦିକତା ଏକ ଯୋଗସୂତ୍ର ଭାବେ କାମ କରିପାରେ । ଏଥିପାଇଁସାମ୍ବାଦିକମାନେ ଉନ୍ନୟନମୁଖୀ ହେବାର ଆବଶ୍ୟକତା ରହିଛି । ଦୋଷତୃଟି ଦେଖିବା ଓ ଦେଖାଇବା ସହିତ ଉନ୍ନୟନ ବାଟ ଏବଂ ଉପାୟ ଦେଖାଇବା ସାମ୍ବାଦିକତାର କାମ । ଏହା ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସେ ନିଜ ଆଲୋଚନାରେ ପ୍ରକାଶ କରିଥିଲେ ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାମ୍ବାଦିକମାନେ ନିଜସ୍ବ ମତ ଉପସ୍ଥାପନ କରିବା ପରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ରାହାସବିହାରୀ ବେହେରା ସ୍ଥାନୀୟ ସାମ୍ବାଦିକଙ୍କର ପ୍ରତିନିଧିତ୍ବ କରି ଆଲୋଚନାଚକ୍ରର ସାରାଂଶ କହିଥିଲେ ।
ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲାରୁ ଶତାଧିକ ସାମ୍ବାଦିକ ଏବଂ ବୁଦ୍ଧିଜୀବି ଅଂଶ ଗ୍ରହଣ କରିଥିଲେ ।