
ବାସ୍ତବ ବ୍ୟୁରୋ : ଦୀପାବଳି ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ। ଶ୍ରୀରାମ ଜନ୍ମ ଭୂମିରେ ଏ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକରେ ଝଲସିଲାଣି ଅଯୋଧ୍ୟ ସହର । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଝଲସିବ ୪୦ଟି ଘାଟ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ । ଏହାସହ ଭଗବାନ ଶ୍ରୀରାମଙ୍କ ପ୍ରତିକାତ୍ମକ ରାଜ୍ୟାଭିଶେକ କରିବେ। ଏହାପରେ ଦୀପୋତ୍ସବର ଆରମ୍ଭ କରିବେ ।ସରଜୂ ନଦୀର ନୂଆ ଘାଟରେ ଥ୍ରୀ-ଡି ହୋଲୋଗ୍ରାଫିକ ପ୍ରୋଜେକ୍ସନ ମ୍ୟାପିଂ ଶୋ’ ମଧ୍ୟରେ ମୋଦୀ ଆଳତି ଦର୍ଶନ କରିବେ ।
ଗତବର୍ଷ ୩୨ଟି ଘାଟରେ ଦୀପ ଲଗାଯାଇଥିବା ବେଳେ ଚଳିତବର୍ଷ ୪୦ଟି ଘାଟରେ ଦୀପ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି । ୧୭ଲକ୍ଷ ଦୀପ ଜଳାଇବାକୁ ୩୫ହଜାର ଲିଟର ସୋରିଷ ତେଳ ବ୍ୟବହାର କରାଯିବ ।ଅଯୋଧ୍ୟାରେ ଏତେ ସଂଖ୍ୟକ ଦୀପ ଜାଳି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରାଯିବ । ଦୀପାବଳି ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଅଯୋଧ୍ୟାର ବିଭିନ୍ନ ସ୍ଥାନରେ କଳାକାରଙ୍କ ଦ୍ୱାରା ଲୋକ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ ।ଅଯୋଧ୍ୟା ନଗରୀକୁ ରଙ୍ଗା ରଙ୍ଗ କରିବାରେ ନିୟୋଜିତ ହେବେ ୨୨ହଜାର ସ୍ୱେଚ୍ଛାସେବୀ ।



