
ବାସ୍ତବ ବ୍ୟୁରୋ : ଆଜି (ଶୁକ୍ରବାର) ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ। ସୁବର୍ଣ୍ଣ ଜୟନ୍ତୀ ପାଇଁ ସଜେଇ ହୋଇଛି ଧଉଳି ଶାନ୍ତିସ୍ତୁପ । ଏହି ଅବସରରେ ବୌଦ୍ଧ ସାଧୁସନ୍ଥ ରାଜଧାନୀ ଭୁବନେଶ୍ୱରରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି । ରାଜଭବନରୁ ଧଉଳି ପର୍ଯ୍ୟନ୍ତ ହୋଇଥିବା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦେଶ ବିଦେଶର ଶତାଧିକ ବୌଦ୍ଧ ସାଧୁ। ଧଉଳିରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ ବୌଦ୍ଧ ସନ୍ୟାସୀ ଏବଂ ଧର୍ମଗୁରୁ । ଅଶୋକ ଶିଳାଲିପି ପରିଦର୍ଶନ କରିବା ସହ ବିଶ୍ବକୁ ଶାନ୍ତି ବାର୍ତ୍ତା ବାଣ୍ଟିଛନ୍ତି ।
ଧଉଳିର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ପୂଜାପାଠ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେଉଛି ଧଉଳି ପାହଡ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ଜିଲ୍ଲାପାଳ ପ୍ରମୁଖ ଧଉଳି ପରିଦର୍ଶନ କରିବା ସହ ଉନ୍ନତିମୂଳକ କାମର ତଦାରଖ କରିଛନ୍ତି । ତେବେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ଆଜି (ଶୁକ୍ରବାର) ସକାଳ ୭ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଧଉଳି ଶାନ୍ତିସ୍ତୁପକୁ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଲଗାଯାଇଛି ।



