ସଂଜୟଶତପଥୀ(କଟକ):ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ,ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନର ଆହ୍ୱାନ କ୍ରମେ ସରକାରୀ କର୍ମଚାରୀ ଦାବିରେ ଅଙ୍ଗନୱାଡ଼ି କର୍ମଚାରୀମାନେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରୁଥିଲାବେଳେ ଆଜି କଟକ ସହରାଞ୍ଚଳ -୨ଶାଖା ପକ୍ଷରୁ କଟକ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଥିବା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମଚାରୀମାନେ ଧାରଣାରେ ବସି ମା' ଲକ୍ଷ୍ମୀଙ୍କର ମାଣବସା ପୂଜା କରି ଅଭିନବ ଉପାୟରେ ଆଠ ଦଫା ଦାବି ପୂରଣ ନିମନ୍ତେ ପ୍ରତିବାଦ କରିଥିଲେ ।
ଦାବି ଗୁଡ଼ିକ ମଧ୍ୟରେ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ଛଅ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ଦେବା, ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା,ଯେଉଁ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ମାନ୍ୟତା ଦିଆଯାଇନାହିଁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ମାସିକ ବେତନ ୧୮,୦୦୦ ଏବଂ ସହାୟିକା ମାନଙ୍କୁ ୯୦୦୦ ଟଙ୍କା ପ୍ରଦାନ ସହିତ ଇ ପି.ଏଫ, ଇ.ଏସ୍.ଆଇ.ସି ଓ ଗ୍ରାଚ୍ୟୁଇଟିରେ ସାମିଲ କରାଯିବା,ମିନି ଅଙ୍ଗନୱାଡ଼ି କର୍ମୀ ପଦବୀ ଉଚ୍ଛେଦ କରି ମୁଖ୍ୟ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ପ୍ରଦାନ କରିବା, ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ଅବସର କାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା ପ୍ରଦାନ କରିବା,କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ମୃତ୍ୟୁ କାଳନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ତାଙ୍କ ପରିବାରରୁ ଜଣକୁ ଚାକିରୀ ଦେବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବାଦ୍ ଦେବା ସହିତ ପୋଷଣ ଟ୍ରାକରରେ ଅନ୍ ଲାଇନ୍ ଲୋକେଶନ ଟ୍ରାକିଙ୍ଗ ବନ୍ଦ କରାଯିବା ଓ ଗ୍ରୀଷ୍ମ ଛୁଟି ପ୍ରଦାନ କରିବା,ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦେବା,୫୦ପ୍ରତିଶତ ପରିବର୍ତ୍ତେ ଶତ ପ୍ରତିଶତ ସୁପରଭାଇଜର ପଦବୀରେ ଅଙ୍ଗନୱାଡ଼ି କର୍ମୀଙ୍କୁ ପଦୋନ୍ନତି ଦିଆଯିବା ଅନ୍ତର୍ଭୁକ୍ତ ଅଟେ ।
ଏହି କାର୍ଯ୍ୟକ୍ରମରେ ସଂଘର କଟକ ଜିଲ୍ଲା ସଭାନେତ୍ରୀ ପ୍ରମିଳା ଦାସ, କଟକ ସହରାଞ୍ଚଳ-୨ଶାଖାର ସଭାନେତ୍ରୀ ଜ୍ୟୋତ୍ସ୍ନା ରାଣୀ ସିଂ, ସମ୍ପାଦିକା ଅନିତା ସାମଲ, ଭାରତୀୟ ମଜଦୁର ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥ, ଉପସଭାପତି ରମାକାନ୍ତ ସାହୁ, ସମ୍ପାଦକ ଭାଗିରଥି ବେହେରା ପ୍ରମୁଖ ଅଙ୍ଗନୱାଡ଼ି କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ ।