ବାସ୍ତବ ବ୍ୟୁରୋ: ପଦ୍ମପୁର ଉପ-ନିର୍ବାଚନରେ ବିଜେଡିର ବାଜିମାତ୍ । ବାଜି ମାରି ନେଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ବର୍ଷା ସିଂହ ବରିହା ୧ ଲକ୍ଷ ୧୯ ହଜାର ୬୪୭ ଖଣ୍ଡ ଭୋଟ୍ ପାଇଛନ୍ତି। ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨, ୧୦୬ ଭୋଟ୍ରେ ପରାସ୍ତ କରିଛନ୍ତି।
ବିଜେପିର ପ୍ରଦୀପ ପୁରୋହିତ ୭୭ ହଜାର ୫୪୧ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୬୧ ଖଣ୍ଡ ଭୋଟ୍ ମିଳିଛି। କିନ୍ତୁ ଭିଭିପାଟ୍ ମ୍ୟାଚିଂ ଚାଲିଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆନୁଷ୍ଠାନିକ ବିଜୟ ଘୋଷଣା କରାଯାଇ ନାହିଁ।
ପ୍ରଥମ ରାଉଣ୍ଡରୁ ଆଗୁଆ ରହିଥିଲେ ବର୍ଷା ।
ଆଜି(ଗୁରୁବାର) ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ମୋଟ ୨୩ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡ ଗଣତିରୁ ହିଁ ବିଜେପି ଆଗୁଆ ରହିଥିଲା। ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ। ମାତ୍ର ୫ମ ରାଉଣ୍ଡ ଗଣତି ଶେଷ ବେଳକୁ ପ୍ରଦୀପ ପୁରୋହିତଙ୍କ ଠାରୁ ବର୍ଷା ୮ ହଜାରରୁ ଅଧିକ ଭୋଟ୍ରେ ଆଗରେ ରହିଥିଲେ। କ୍ରମଶଃ ଏହି ବ୍ୟବଧାନ ବଢ଼ି ଚାଲିଥିଲା।



