ବାସ୍ତବ ବ୍ୟୁରୋ : ପରଲୋକରେ ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର ।
ସୂଚନାନୁଯାୟୀ, ଆଜି(ଗୁରୁବାର) ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କର ବିୟୋଗରେ ଓଡ଼ିଶାର ଶାସ୍ତ୍ରୀୟ ତବଲା ବାଦନ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗ ରାଜ୍ୟର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତ କରଙ୍କ ଶେଷକୃତ୍ୟ କରାଯିବ ।
ଭାରତୀୟ ଶାସ୍ତ୍ରୀୟ ତବଲା ବାଦନ ଲାଗି ଜାତୀୟ ତଥା ଅନ୍ତର୍ଜାତୀୟ ପରିସରରେ ପ୍ରସିଦ୍ଧି ଅର୍ଜନ କରିଥିବା ପଣ୍ଡିତ କର ଓଡ଼ିଶା ସଂଗୀତ ନାଟକ ଏକାଡେମି, କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର ସହିତ ବହୁ ସରକାରୀ ବେସରକାରୀ ଅନୁଷ୍ଠାନ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ।



