ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୯୯ ବର୍ଷୀୟ ହୀରା ବେନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଗତକାଲି ରାତିରେ ହଠାତ ବିଗଡ଼ି ଯାଇଥିଲା। ଏଥିପାଇଁ ତାଙ୍କୁ ଆଜି(ବୁଧବାର) ଅହମଦାବାଦର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅହମଦାବାଦ ସ୍ଥିତ ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ର ସୂଚନାନୁଯାୟୀ, ହୀରା ବେନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହି ପ୍ରତିକ୍ରିୟା ବ୍ୟତୀତ ହୀରା ବେନଙ୍କ ସମ୍ପର୍କରେ ହସ୍ପିଟାଲ ପକ୍ଷରୁ ଆଉ କୌଣସି ପ୍ରକାର ସୂଚନା ଦିଆଯାଇନି।
ସେପଟେ ମାଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ ଡାକ୍ତରଖାନାରେ ପହଞ୍ଚିଛନ୍ତି ।
ହୀରା ବେନ୍ ହସ୍ପିଟାଲରେ ଥିବା ଖବର ପ୍ରଚାର ହେବା ପରେ ବିଜେପିର ଗୁଜରାଟ ବିଧାୟକ ଦର୍ଶନବେନ ବାଘେଲା ଓ କୌଶିକ ଜୈନ ସେଠାରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦିଙ୍କ କାର୍ ମହୀଶୂର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କାର୍ରେ ପ୍ରହ୍ଲାଦ ମୋଦିଙ୍କ ବ୍ୟତୀତ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ରହିଥିଲେ।