
ଶ୍ରୀଚରଣ ନାୟକ(ନୂଆଦିଲ୍ଲୀ): ଦୁଇ ଦିନ ଧରି ଦିଲ୍ଲୀରେ ଚାଲିଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ସହିତ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ମାତ୍ର ୪୦୦ ଦିନ ବାକି ଅଛି। ନିର୍ବାଚନ ପୂର୍ବରୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବାକୁ ସେ ଗୁରୁମନ୍ତ୍ର ଦେଇଛନ୍ତି ।
ବୈଠକର ଦ୍ୱିତୀୟ ଦିନରେ ଏକ ପ୍ରମୁଖ ନିଷ୍ପତ୍ତି ନେଇ ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନଡ୍ଡାଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଜାନୁଆରୀ ୨୦ ରେ ଶେଷ ହେଉଥିଲା। ଏବେ ସେ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଦଳର ଦାୟିତ୍ୱ ଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ଓ ଗୁରୁମନ୍ତ୍ର ସମ୍ପର୍କରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଗଣମାଧ୍ୟମକୁ ଜଣାଇଛନ୍ତି। ସେ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ମୋଦି ଏବେ ଠାରୁ ହିଁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି। ଆମ ପାଖରେ ୪୦୦ ଦିନ ସମୟ ରହିଛି। ଆମକୁ ଲୋକଙ୍କ ସେବା କରିବା ପାଇଁ ସବୁ କିଛି କରିବାକୁ ପଡ଼ିବ। ଆମକୁ ଇତିହାସ ସୃଷ୍ଟି କରିବାର ଅଛି। ପ୍ରଧାନମନ୍ତ୍ରୀ ମୋଦି ୧୮ରୁ ୨୫ ବର୍ଷ ବର୍ଗରେ ଥିବା ଯୁବଗୋଷ୍ଠୀଙ୍କୁ ଅଧିକ ଫୋକସ କରିବାକୁ କହିଛନ୍ତି। ସେ କହିଛନ୍ତି ଏହି ବର୍ଗର ଲୋକମାନେ ଇତିହାସ ସହ ଜଡ଼ିତ ନୁହନ୍ତି। ପୂର୍ବରୁ ଦେଶରେ ଥିବା ଖରାପ ଶାସନକୁ ଆମେ ଭୁଲୁଛେ ଓ ସୁଶାସନ ଦିଗରେ ବଢ଼ୁଛେ। ଆମକୁ ଏକଥା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ୧୮ରୁ ୨୫ ବର୍ଷ ବର୍ଗରେ ଥିବା ଭୋଟରଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ଜଣାଇବାକୁ ହେବ ଓ ସେମାନଙ୍କୁ ସୁଶାସନର ଅଂଶବିଶେଷ ହେବାକୁ ସହଯୋଗ କରିବାକୁ ପଡ଼ିବ ବୋଲି ମୋଦି ଦଳୀୟ ନେତା ଓ କର୍ମୀମାନଙ୍କୁ କହିଛନ୍ତି।”
ଗ୍ରାମୀଣ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା, ବିଶେଷ କରି ସୀମାନ୍ତ ଅଞ୍ଚଳ ଓ ସବୁ ବର୍ଗର ଲୋକଙ୍କୁ ଦଳୀୟ ନେତାମାନେ ଭେଟି ସେମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ବୈଠକରେ କହିଛନ୍ତି। ଏଥିସହ ଭୋଟ କଥା ଚିନ୍ତା ନ କରି ବୋହାରସ, ପସମାନଡସ ଓ ଶିଖ୍ ଭଳି ସଂଖ୍ୟାଲଘୁ ଲୋକଙ୍କ ପାଖରେ ପହଞ୍ଚିବାକୁ ସେ କହିଛନ୍ତି।



