
ବାସ୍ତବ ବ୍ୟୁରୋ: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାସ୍ଥିତ ରାଜ୍ୟ ଶକ୍ତି କମ୍ପାନୀ ପର୍ଟାମିନା ଦ୍ୱାରା ପରିଚାଳିତ ଏକ ତୈଳ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ଦୁଇ ଶିଶୁଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୬ ଜଣ ନିଖୋଜ ଅଛନ୍ତି । ଉକ୍ତ ଇନ୍ଧନ ଭଣ୍ଡାର ଉତ୍ତର ଜାକର୍ତ୍ତାର ଏକ ଜନବହୁଳ ଅଞ୍ଚଳ ନିକଟରେ ଅବସ୍ଥିତ । ଏହା ଇଣ୍ଡୋନେସିଆର ଆବଶ୍ୟକତାର ୨୫ ପ୍ରତିଶତ ଇନ୍ଧନ ଯୋଗାଉଛି।
ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ୫୦ ୟୁନିଟ୍ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକମାନେ ନିଆଁରେ ଫସି ରହିଥିବା ଅନେକ ଲୋକଙ୍କ ଜୀବନ ରକ୍ଷା କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଇନ୍ଧନ ଷ୍ଟେସନ ଏକ ଜନବହୁଳ ଅଞ୍ଚଳରେ ଥିବାରୁ ଆଖପାଖର କିଛି ଘରେ ମଧ୍ୟ ନିଆଁ ଲାଗିଯାଇଥିଲା। ଜାକର୍ତ୍ତାର କାର୍ଯ୍ୟକାରୀ ଗଭର୍ଣ୍ଣର ହେରୁ ବୁଡି ହାର୍ଟୋନୋ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସରକାର ଖର୍ଚ୍ଚ ବହନ କରିବେ ବୋଲି ସେ କହିଛନ୍ତି।