
ପ୍ରମୋଦନାୟକ(ଭୁବନେଶ୍ବର): ମନମୋହନ ସାମଲ ରାଜ୍ୟ ବିଜେପିର ନୂଆ ସଭାପତି। ସେ ସମୀର ମହାନ୍ତିଙ୍କ ସ୍ଥାନରେ ଏହି ଦାୟିତ୍ବ ନିର୍ବାହ କରିବେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି।
ସଭାପତି ଭାବେ ନିଯୁକ୍ତ ହେବା ପରେ ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିଛି। ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ଲଢ଼ିବ ବିଜେପି। ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଶାସନ ଚାଲିଛି, ତାକୁ ୨୦୨୪ରେ ପରିବର୍ତ୍ତନ କରାଯିବ।ଲୋକଙ୍କ ଅପେକ୍ଷା ରହିଛି ବିକଳ୍ପ ସରକାର, ଆମେ ସେହି ବିକଳ୍ପ ଦେବୁ।
ମନମୋହନ ସାମଲ ବିଜେପିର ରାଜ୍ୟ ମୁଖିଆ ହେବା ପରେ ତାଙ୍କ ନିକଟକୁ ଶୁଭାଚ୍ଛାର ସୁଅ ଛୁଟିଛି।
ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳର ଜଣେ ବରିଷ୍ଠ ନେତା । ତାଙ୍କ ପାଇଁ ସଭାପତି ଦାୟିତ୍ୱ ନୂଆ ନୁହେଁ। ମନମୋହନ ସାମଲ ପୂର୍ବରୁ ୧୯୯୯-୨୦୦୦ ଓ ୨୦୦୧-୨୦୦୪ ମସିହା ପର୍ଯ୍ୟନ୍ତ ୨ ଥର ଦଳର ସଭାପତି ଭାବେ ଦାୟିତ୍ୱ ନିର୍ବାଚିତ ହୋଇ ସାରିଛନ୍ତି।
ସୂଚନା ମୁତାବକ, ମନମୋହନ ସାମଲ କଳା ଏବଂ ଓକିଲାତିରେ ସ୍ନାତକ ଶ୍ରୀ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ। ସେ ଭଦ୍ରକ କଲେଜରେ ପାଠ ପଢ଼ୁଥିବାବେଳେ ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ଏବିଭିପିର ସଦସ୍ୟ ହୋଇଥିଲେ। ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ୨୦୦୪ ମସିହାରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ମନମୋହନ ୨୦୦୪ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ବିଜେପି-ବିଜେଡି ମେଣ୍ଟ ଥିବା ବେଳେ ସେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ରାଜସ୍ୱ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହାଛଡ଼ା ମନମୋହନ ସାମଲ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।