ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ତାଲାବନ୍ଦ ନିୟମକୁ ସବୁ ରାଜ୍ୟର ସରକାର କଡ଼ାକଡ଼ି କରୁଛନ୍ତି । ଏହାସହ ଲୋକମାନେ କିପରି ହଇରାଣ ନହେବେ ସେନେଇ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ର ଉପଲବ୍ଧତାକୁ ନିରୀକ୍ଷଣ କରାଯାଉଛି । ଜରୁରୀ ସାମଗ୍ରୀ ଯୋଗାଇ ଦେବା ପାଇଁ ରାଜ୍ୟଗୁଡ଼ିକୁ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଛି । ଏହାସହ କରୋନା ନେଇ ହଟସ୍ପଟ ଜୋନ୍ ଚିହ୍ନଟ ହୋଇଥିଲା । ହଟସ୍ପଟ ଚିହ୍ନଟ ନହୋଇଥିବା ଜୋନରେ ସେଠାରେ ଏପ୍ରିଲ ୨୦ ପରେ ଲାଗୁ କରାଯାଇଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯିବ । ଯେମିତିକି ସାମାଜିକ ଦୂରତା ରକ୍ଷା ସର୍ତ୍ତ ସହ କିଛି ନିୟମ କୋହଳ କରାଯିବା ନେଇ ସୂଚନା ରହିଛି । ଏହାସହ ଛେପ, ଲାଳରେ କରୋନା ବ୍ୟାପିଥାଏ ତେଣୁ ଏଣେ ତେଣେ ଛେପ ନପକାଇବା ସହ ଭିଡ଼ ନଜମାଇବା ପାଇଁ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ଷେତ୍ରରେ ଟେମ୍ପରେଚର ସ୍କ୍ରିନିଂ ବ୍ୟବସ୍ଥା କରିବା ପାଇଁ ସେ କହିଛନ୍ତି । ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପଟେ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ସେ ଦେଇଛନ୍ତି । ଗତ ୨୪ଘଣ୍ଟାରେ ୯୪୧ ନୂଆ କେସ୍ ସାମ୍ନାକୁ ଆସିଥିବା ବେଳେ ୩୭ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୩୮୦ରେ ପହଞ୍ଚିଛି । ବତ୍ତର୍ମାନ ସୁଦ୍ଧା ସମୁଦାୟ ୪୧୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ୩୨୫ଜିଲ୍ଲାରେ କୌଣସି କରୋନା ନେଇ ଆକ୍ଟିଭ୍ କେସ୍ ଆସିନି ବୋଲି ସେ କହିଛନ୍ତି ।
ଦେଶର ୨୭ଟି କରୋନା ସଂକ୍ରମିତ ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ନୂଆ ମାମଲା ଆସିନାହିଁ । ସେ କହିଛନ୍ତି ଯେ ଗତ କାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଓ ହଟସ୍ପଟଗୁଡ଼ିକରେ କିପରି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ତାହା ଉପରେ ଆଲୋଚନା କରିଛନ୍ତି । ସଂଗଠନର ପୋଲିଓ ସତର୍କତା ନେଟଓ୍ୱର୍କ ବ୍ୟବହାର କରି ହଟସ୍ପଟଗୁଡ଼ିକ ଉପରେ ନଜର ରଖାଯିବ ।
