
ବାସ୍ତବ ବ୍ୟୁରୋ:ମହିଳାଙ୍କ ଡ୍ରେସ କୋଡକୁ ନେଇ ଇରାନର ସଂସଦ ଏକ ନୂତନ ନିୟମ ପ୍ରଣୟନ କରିଛି। ଏହା ଅଧୀନରେ ଯଦି ମହିଳାମାନେ ହିଜାବ ପିନ୍ଧନ୍ତି ନାହିଁ, ତେବେ ତାଙ୍କୁ ୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ଇରାନର ସାଂସଦ ହୁସେନି ଜଲାଲୀ ଏହି ସୂଚନା ଦେଇଛନ୍ତି।
ଜଲାଲୀ କହିଛନ୍ତି ଯେ ଜରିମାନା ବ୍ୟତୀତ ଯଦି ମହିଳାମାନେ ନୂଆ ଡ୍ରେସ କୋଡ ପାଳନ ନକରନ୍ତି, ତେବେ ସେମାନଙ୍କ ପାସପୋର୍ଟ ଜବତ କରାଯିବ ଏବଂ ସେମାନଙ୍କୁ ଇଣ୍ଟରନେଟ ବ୍ୟବହାର ଉପରେ ବାରଣ କରାଯିବ। ଗତ ୬ ମାସ ଧରି ଇରାନରେ ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ପାଇଁ ଏହି ନୂତନ ନିୟମ ଏକ ବଡ଼ ଝଟକା।
ଏଥି ସହିତ ଇରାନର ଜଣେ ଧର୍ମଗୁରୁ ମୋହସେନ୍ ଅରାକି କରୋନାକୁ ମହିଳା ହିଜାବ ନ ପିନ୍ଧିବା ସହ ତୁଳନା କରିଛନ୍ତି। ସେ କହିଛନ୍ତି, ‘ହିଜାବ ବିରୁଦ୍ଧରେ ଚାଲୁଥିବା ଧାରାକୁ କରୋନା ଭୁତାଣୁ ପରି ବିସ୍ତାର କରିବାକୁ ଦେବୁ ନାହିଁ। ‘ଆମର ଶତ୍ରୁମାନଙ୍କର ଉଦ୍ଦେଶ୍ୟ ହେଉଛି ଇରାନରେ ମହିଳାଙ୍କ ସ୍ୱାଧୀନତାକୁ ଶେଷ କରିବା। କାରଣ ଜଣେ ମହିଳା ହିଜାବ ବିନା ସ୍ୱାଧୀନ ରହି ପାରିବେ ନାହିଁ ।’
ଇରାନର ସର୍ବୋଚ୍ଚ ନେତା ଅଯାତୁଲ୍ଲା ଖାମେନେଙ୍କ ଘନିଷ୍ଠ ସହଯୋଗୀ ମହମ୍ମଦ ମେହେଡି ହୋସେନି ହିଜାବ ପିନ୍ଧି ନ ଥିବା ମହିଳାଙ୍କ ପାଇଁ ବର୍ଷା ଅଭାବକୁ ଦାୟୀ କରିଛନ୍ତି। ସେ କହିଥିଲେ ଯେ ଯେଉଁମାନେ ହିଜାବ ପିନ୍ଧୁ ନାହାଁନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ।
ଇରାନରେ ହିଜାବକୁ ସମର୍ଥନ କରୁଥିବା ଏଭଳି ଅଜବ ବିବୃତ୍ତିର ତାଲିକା ଲମ୍ବା ଅଟେ।



