
ବାସ୍ତବ ବ୍ୟୁରୋ: ଆଜି (ଶନିବାର) ସକାଳେ ପ୍ରୟାଗରାଜର ନେହେରୁ କମ୍ପ୍ଲେକ୍ସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ସୂଚନାନୁସାରେ, ୨୧୦ ଟି ଦୋକାନରେ ନିଆଁ ଲାଗିଯାଇଛି। ସେଥିମଧ୍ୟରୁ ୩୦ ଟି ଦୋକାନ ସଂପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହେଇଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ୨୦ ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । କ୍ରୁମାନେ ୪.୩୦ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ ।
ସମଗ୍ର ଅଞ୍ଚଳରେ ଧୂଆଁ ବ୍ୟାପୁଛି। ଏହି କମ୍ପ୍ଲେକ୍ସରେ ପୋଷାକ ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଅଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବା କଥା ସାମ୍ନାକୁ ଆସିଛି।
ବାସ୍ତବରେ, ଯେଉଁ ସ୍ଥାନରୁ ନିଆଁ ଲାଗିଥିଲା, ତାହା ହେଉଛି ସହରର ସବୁଠାରୁ ଗହଳିପୁର୍ଣ୍ଣ ଅଞ୍ଚଳ । ପୁରୁଣା ସହରରେ ଘଣ୍ଟାଘର ପଛରେ ନିଆଁ ଲାଗିଛି । ଏହି ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଅଧିକ ଦୋକାନ ଅଛି ।
ଘଣ୍ଟାଘର ଏବଂ ଚୌକ ଅଞ୍ଚଳ ହେଉଛି ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏଠାକୁ ଲୋକମାନେ ପୋଷାକ ଠୁ ଆରମ୍ଭ କରି ଅନ୍ୟ ସବୁକିଛି କିଣିବାକୁ ଆସନ୍ତି । ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥାଏ। କିଛି ଦୋକାନୀ କହିଛନ୍ତି ଯେ ଟ୍ରାନ୍ସଫର୍ମର ନେହେରୁ କମ୍ପ୍ଲେକ୍ସ ପାଖରେ ଅଛି। ସକାଳ ୮.୩୦ ସମୟରେ ଟ୍ରାନ୍ସଫର୍ମରରେ ଏକ ସର୍ଟ ସର୍କିଟ ହୋଇଥିଲା । ଯାହା ପରେ, ହଠାତ୍ ପବନ ହେତୁ ନିଆଁ କିଛି କ୍ଷଣରେ ଅନେକ ଦୋକାନକୁ ବ୍ୟାପି ଯାଇଥିଲା ।
ଦୋକାନୀ ରାଜା କହିଛନ୍ତି ଯେ ତିନି ବର୍ଷ ପୂର୍ବେ ମଧ୍ୟ ନେହେରୁ କମ୍ପ୍ଲେକ୍ସରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଯେଉଁଥିରେ ୨୦୦ ଦୋକାନ ପୋଡି ପାଉଁଶ ହୋଇଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦୋକାନୀମାନେ ତାକୁ ଭୁଲିପାରି ନାହାନ୍ତି ।
CFO ଆର.କେ ପାଣ୍ଡେ କହିଛନ୍ତି ଯେ ସକାଳ ୮.୩୦ ସମୟରେ ନେହେରୁ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥଲା। ୨୦ ଟି ଅଗ୍ନିଶମ ବାହିନୀ ଏବଂ ୧୦୦ ରୁ ଅଧିକ କର୍ମଚାରୀ ଜେସିବି ଏବଂ ହାଇଡ୍ରୋଲିକ୍ ମେସିନ୍ ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ସୌଭାଗ୍ୟ ବଶତଃ ଏଥିରେ କେହି ପ୍ରାଣ ହରାଇ ନାହାନ୍ତି ।