ଅନୁଗୁଳ ଶଙ୍କର ସିନେମା ରୋଡ୍‌ରେ ଭୟାବହ ଅଗ୍ନିକାଣ୍ଡ; ୨ ବାଇକ୍‌ ସହ ୨୦ ଲକ୍ଷର କପଡ଼ା ଛାର୍‌ଖାର୍‌

ବାସ୍ତବ ବ୍ୟୁରୋ: ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଅନୁଗୁଳ ସହର ଶଙ୍କର ସିନେମା ରୋଡ୍ ସ୍ଥିତ ‘ମଙ୍ଗଳମ୍‌’ କପଡ଼ା ସୋ’ ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ସୋ’ ରୁମ୍‌ରେ ସନ୍ଧ୍ୟା ସମୟରେ ଗ୍ରାହକଙ୍କ ଭାରି ଭିଡ ଥିବାବେଳେରେ ହଠାତ୍‌ ଦୋକାନ ପ୍ରବେଶ ପଥର ବାମ ପଟେ ଖଞ୍ଜା ହୋଇଥିବା ବିଦ୍ୟୁତ୍‌ ପ୍ୟାନେଲ୍‌ ବୋର୍ଡରେ ସର୍ଟ ସର୍କିଟ୍ ହୋଇଥିଲା। ସେହିଠାରୁ ନିଆଁ ସୂତ୍ରପାତ ହୋଇ ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଥିଲା। ସୋ’ ରୁମ୍‌ରେ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା। ସାମ୍ନା ସ୍ଥିତ ସୋ’ ରୁମ୍‌ କର୍ତୃପକ୍ଷ ଅଗ୍ନି ନିର୍ବାପକ ଯନ୍ତ୍ରରେ ନିଆଁକୁ ଲିଭାଇବାକୁ ଗଲା ବେଳକୁ ହଠାତ୍‌ ପ୍ୟାନେଲ୍ ବୋର୍ଡରେ ବିସ୍ଫୋରଣ ହୋଇଥିଲା।

ବିଦ୍ୟୁତ୍‌ ପ୍ୟାନେଲ୍ ବୋର୍ଡରୁ ସୂତ୍ରପାତ ହୋଇଥିବା ପ୍ରଥମ ନିଆଁ ତଳ ସୋ’ ରୁମ୍‌ ସହିତ ଉପର ଦୁଇ ମହଲା କୋଠାକୁ ଜାଳି ଦେଇଛି । ତେବେ ଏହି ଘଟଣାରେ କ୍ଷୟକ୍ଷତିର ଆକଳନ ସରିନାହିଁ। ତଥାପି କ୍ଷୟକ୍ଷତି ପ୍ରାୟ ୨୦ଲକ୍ଷରୁ କମ୍ ନୁହେଁ ବୋଲି ଅଗ୍ନିଶମ ବିଭାଗ କର୍ମଚାରୀ ସୁକାନ୍ତ ନାଥ ପ୍ରକାଶ କରିଛନ୍ତି।

ସୂଚନା ପାଇ ଅନୁଗୁଳ ଅଗ୍ନିଶମ ବାହିନୀ କେଇ ମିନିଟ୍ ଭିତରେ ସଦଳେବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଦ୍ୟୁତ୍‌ ବିଭାଗ ତୁରନ୍ତ ବିଦ୍ୟୁତ୍‌ କାଟିଲା ପରେ ତିନି ତିନିଟା ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏ ସୋ’ରୁମ୍‌ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିନଥିଲା। ଅଗ୍ନିଶମ ବାହିନୀଠୁ ସୋ’ ରୁମ୍‌ କର୍ତୃପକ୍ଷ କୌଣସି ସାର୍ଟିଫିକେଟ୍ ବି ନେଇ ନ ଥିଲେ ବୋଲି ଶ୍ରୀ ନାଥ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Next Post

ପୀଠ ପରିକ୍ରମା କାର୍ଯ୍ୟକ୍ରମରେ କଟକ ଜଗତପୁର,ନାନକାର ଗ୍ରାମର ମା'ବାସୁଳେଇ....

Sat Apr 8 , 2023
ସଂଜୟ ଶତପଥୀ(କଟକ): ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ କଟକ ଜଗତପୁର ର ନାନକାର ଗ୍ରାମର ଅଧୂଷ୍ଠାତ୍ରୀ ଦେବୀ ମା’ବାସୁଳେଇ ଙ୍କ ଜନ୍ମୋତ୍ସବ ମାଆଙ୍କ ପୀଠରେ‌ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏକ ବୃକ୍ଷମୂଳେ ବିରାଜିତ ମାଆଙ୍କର ଏକ ମନ୍ଦିର ନିର୍ମାଣ ଲାଗି ସମସ୍ତ ଅଞ୍ଚଳବାସୀ ଅଣ୍ଟାଭିଡିଥିବା ବେଳେ, ମାଆଙ୍କର ଶ୍ରଦ୍ଧାଳୁମାନଙ୍କ ସହ ଯୋଡି‌ହୋଇଛନ୍ତି ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀ।ଏହି ପରିପ୍ରେକ୍ଷୀରେ ଆୟୋଜିତ ଏହି ଆଧ୍ୟାତ୍ମିକ ସମ୍ମିଳନୀର ଉଦଘାଟକ ଭାବେ ପୂଜ୍ୟ ପାଦ […]

You May Like

Pin It on Pinterest