
ବାସ୍ତବ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ‘ମୋକା’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୭ କିଲୋମିଟର୍ ବେଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଜି ଭୋର୍ ୫.୩୦ରେ ଉତ୍ତରପୂର୍ବ ଓ ତତ୍ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗର ସୂଚନାରୁ ଜଣାପଡ଼ିଛି।
ସ୍ଥଳଭାଗରୁ ହିସାବ କଲେ ସାମୁଦ୍ରିକ ବାତ୍ୟା ‘ମୋକା’ ଏବେ ପୋର୍ଟ ବ୍ଲେୟାର୍ର ଉତ୍ତର-ଉତ୍ତରପଶ୍ଚିମରୁ ପ୍ରାୟ ୭୯୦ କିଲୋମିଟର୍, କକ୍ସ୍ ବଜାରର (ବାଂଲାଦେଶ) ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୩୦୦ କିଲୋମିଟର୍ ଏବଂ ସିତ୍ତ୍ବେର (ମିଆଁମାର୍) ଦକ୍ଷିଣପଶ୍ଚିମରୁ ୨୧୦ କିଲୋମିଟର୍ ଦୂରରେ ରହିଛି।
ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଆଜି ମଧ୍ୟାହ୍ନ ବେଳକୁ ଅତି ଉଗ୍ର ସାମୁଦ୍ରିକ ବାତ୍ୟା ରୂପେ ‘ମୋକା’ କକ୍ସବଜାର ଓ ସିତ୍ତ୍ବେ ପାଖ ଦେଇ କ୍ୟାୟୁକପ୍ୟୁ ବାଟେ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୨୧୦ କିଲୋମିଟର୍ ଦଲକା ସହିତ ଘଣ୍ଟାକୁ ୧୮୦ରୁ ୧୯୦ କିଲୋମିଟର୍ ବେଗରେ ବତାସ ପ୍ରବାହିତ ହେବ।



