ଶପଥ ନେଲେ ବିକ୍ରମ, ସୁଦାମ ଓ ଶାରଦା..ବିକ୍ରମଙ୍କୁ ଅର୍ଥ, ସୁଦାମଙ୍କୁ ମିଳିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ, ଶ୍ରମ ମନ୍ତ୍ରୀ ହେଲେ ଶାରଦା…

 ପ୍ରମୋଦ ନାୟକ(ଭୁବନେଶ୍ବର): ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଲେ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି |

ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତିନିଜଣ ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ଏହି ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ | ଉଲ୍ଲେଖ ଥାଉ କି ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଆଉ ଗତକାଲି ହିଁ ଏହି ତିନି ଜଣ ବରିଷ୍ଠ ବିଧାୟକ ହିଁ ମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିଲା।

ତିନି ନୂଆ ମନ୍ତ୍ରୀ ଶପଥ ନେବାପରେ, ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି।ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ମିଳିଥିବାବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଶାରଦା ନାୟକଙ୍କୁ ଶ୍ରମ ବିଭାଗର ଦାୟିତ୍ୱ ମିଳିଛ ।

ବିକ୍ରମ କେଶରୀ ଆରୁଖ-ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ। ଗତ ବର୍ଷ ଜୁନ୍‌ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। ତାଙ୍କୁ ବାଚସ୍ପତି କରାଯାଇଥିଲା। ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ଶ୍ରୀ ଆରୁଖଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବାକୁ ପୁନର୍ବାର ଶ୍ରୀ ଆରୁଖଙ୍କୁ ମନ୍ତ୍ରୀ କରାଯାଇଥିବା କୁହାଯାଉଛି।

ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ଦବ୍‌ଦବା ଜୋର୍‌ ରହିଛି। ଜେଏମ୍‌ଏମ୍‌ରୁ କ୍ୟାରିୟର ଆରମ୍ଭ କରି ଜେଏମ୍‌ଏମ୍‌ ପ୍ରାର୍ଥୀ ଭାବେ ଦୁଇ ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ଯୋଗ ଦେଇ ୨୦୧୪ ଓ ୨୦୧୯ରେ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ ବାଙ୍ଗିରୀପୋଷିରୁ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୧୯ରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ। ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। କିନ୍ତୁ ବର୍ଷକ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ମନ୍ତ୍ରିମଣ୍ଡଳକୁ ଫେରାଇ ଆଣିଛନ୍ତି। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରୁ ବାସନ୍ତୀ ହେମ୍ବ୍ରମ୍‌ ମନ୍ତ୍ରୀ ହୋଇଛନ୍ତି। ମୟୂରଭଞ୍ଜର ମୋଟ୍‌ ୯ଟି ବିଧାନସଭା ଆସନରୁ ବିଜେପି ଦଖଲରେ ୬ଟି ଓ ବିଜେଡି ଦଖଲରେ ୩ଟି ରହିଛି।

ସେହିପରି ରାଉରକେଲା ବିଧାୟକ ଶାରଦା ନାୟକ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ରୁ ୨୦୧୨ ଯାଏ ସେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଜେଡି ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ବରିଷ୍ଠ ବିଧାୟକ ଶ୍ରୀ ନାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ସ୍ଥାପନ କରିଛନ୍ତି। ସୁନ୍ଦରଗଡ଼ର ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ୩ଟି, ବିଜେଡିର ୨ଟି ଏବଂ କଂଗ୍ରେସ ଓ ସିପିଆଇ(ଏମ୍) ଦଖଲରେ ଗୋଟିଏ ଲେଖାଏ ଆସନ ରହିଛି।

ସେୟାର କରନ୍ତୁ

Next Post

ଅଚଳ ନୁହେଁ ୨୦୦୦ ଟଙ୍କିଆ, କେବଳ ଫେରାଇ ନିଆଯାଉଛି: ଆରବିଆଇ ଗଭର୍ଣ୍ଣର

Mon May 22 , 2023
ବାସ୍ତବ ବ୍ୟୁରୋ: ଆଜି ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି,ଅଚଳ ନୁହେଁ ୨୦୦୦ ଟଙ୍କିଆ ନୋଟ୍ । ଆମେ ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରି ନେଉଥିଲେ ବି ଏହା ସଚଳ ମୁଦ୍ରା ହୋଇ ରହିବ। ରିଜର୍ଭ ବ୍ୟାଙ୍କ୍‌ର ପୂର୍ବ ନିର୍ଦେଶ ମୁତାବକ କେହି ୨୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ। ୨୦୦୦ ଟଙ୍କିଆ ନୋଟ୍‌ ସଚଳ ହୋଇଥିବାରୁ ବ୍ୟବସାୟ ପ୍ରତିଷ୍ଠାନ […]

You May Like

Pin It on Pinterest