
ବାସ୍ତବ ବ୍ୟୁରୋ: ଆଜି ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି,ଅଚଳ ନୁହେଁ ୨୦୦୦ ଟଙ୍କିଆ ନୋଟ୍ । ଆମେ ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରି ନେଉଥିଲେ ବି ଏହା ସଚଳ ମୁଦ୍ରା ହୋଇ ରହିବ। ରିଜର୍ଭ ବ୍ୟାଙ୍କ୍ର ପୂର୍ବ ନିର୍ଦେଶ ମୁତାବକ କେହି ୨୦୦୦ ଟଙ୍କିଆ ନୋଟ୍ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ।
୨୦୦୦ ଟଙ୍କିଆ ନୋଟ୍ ସଚଳ ହୋଇଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ସବୁ ଏହାକୁ ଅଗ୍ରାହ୍ୟ କରିପାରିବେ ନାହିଁ । ୨୦୦୦ ଟଙ୍କିଆ ନୋଟ୍ ପ୍ରତିବଦଳ କରିବା ଲାଗି ଯଥେଷ୍ଟ ସମୟ ଦିଆଯାଇଥିବାରୁ ଗ୍ରାହକମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ତେଣୁ ମିଛ ପ୍ରଚାରରୁ ଦୁରେଇ ରୁହନ୍ତୁ ବୋଲି ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ, ୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍ ସବୁ ବ୍ୟାଙ୍କରେ ପ୍ରତିବଦଳ କିଂବା ଜମା କରିବା ଲାଗି ଜାରି କରିଥିବା ବିଜ୍ଞପ୍ତିରେ ରିଜର୍ଭ ବ୍ୟାଙ୍କ୍ ଜନସାଧାରଣଙ୍କୁ ନିବେଦନ କରିଛି।
ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣନର୍ ଦାସ କହିଛନ୍ତି, ପ୍ରସାରଣରୁ ପ୍ରତ୍ୟାହାର କରାଯାଇଥିବା ୨୦୦୦ ଟଙ୍କିଆ ନୋଟ୍ଗୁଡ଼ିକ ପ୍ରତିବଦଳ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବା ଲାଗି ଦେଶର ସମସ୍ତ ବ୍ୟାଙ୍କ୍ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହି ପ୍ରକ୍ରିୟା ଅବାଧରେ ସମ୍ପନ୍ନ କରିବା ଲାଗି ବ୍ୟାଙ୍କ୍ ସବୁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।