
ବାସ୍ତବ ବ୍ୟୁରୋ: ଆଜି (୨୨ ଜୁନ୍, ଗୁରୁବାର) ରାଜ୍ୟକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ। ଫଳରେ ଏବେ ମୌସୁମୀ ବର୍ଷାରେ ଭିଜିବ ସମଗ୍ର ରାଜ୍ୟ।
ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ୨ଟା ୩୦ ସୁଦ୍ଧା ୯୦.୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର କିଛି-କିଛି ଅଂଚଳରେ ବର୍ଷା ଲାଗିରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ପ୍ରଭୃତି ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋବାକୁ ଥିବାବେଳେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୧୬ ଟି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ସେହିପରି ଏହି ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ପ୍ରଭୃତି ୬ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଝଡ଼ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯିବା ସହ ବଜ୍ରପାତ ସମୟରେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।