ଲଗାଣ ବର୍ଷାରେ ଗୁଜରାଟ ସ୍ଥିତି ବେହାଲ

ବାସ୍ତବ ବ୍ୟୁରୋ: ଲଗାଣ ବର୍ଷା ଯୋଗୁ ଗୁଜରାଟ ସ୍ଥିତି ବେହାଲ । ବର୍ଷା ଯୋଗୁ ଗୁଜରାଟରେ ବନ୍ୟା ସମସ୍ୟା ଦେଖା ଦେଇଛି । ବନ୍ୟା କେବଳ ଗ୍ରାମାଞ୍ଚଳକୁ ପ୍ରଭାବିତ କରିନି, ବରଂ ସହରାଞ୍ଚଳରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି।

ରାଜ୍ୟର ଅନ୍ୟତମ ବଡ଼ ସହର ଅହମଦାବାଦ ଏୟାରପୋର୍ଟରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ଏୟାରପୋର୍ଟର ଭିତର ଅଂଶ ଠାରୁ ଆରମ୍ଭ କରି ବାହାରେ ବର୍ଷା ପାଣି ସୁଅ ମାରୁଛି। ସହରର ଗଳିକନ୍ଦିରେ ବର୍ଷା ପାଣି ଘୁଘୁ କରି ମାଡ଼ି ଚାଲିଥିବା ବେଳେ ଏଥିରେ ଅନେକ କାର୍‌ ଓ ବାଇକ ଭାସି ଯାଇଛି। କିଛି ସ୍ଥାନରେ ଗୃହପାଳିତ ପଶୁମାନେ ପାଣିର ସୁଅରେ ଭାସି ଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଲଗାଣ ବର୍ଷା ଯୋଗୁ ଜୁନାଗଡ଼ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭାରତୀୟ ପାଣିପାଗ ଜୁନାଗଡ଼ ପାଇଁ ରେର୍ଡ ଆଲର୍ଟ ଜାରି କରିଥିବା ବେଳେ ସହରରେ ୨୪ ଘଣ୍ଟାରେ ରେକର୍ଡ ୨୪୧ ମିମି ବର୍ଷା ହୋଇଇଛି।

ରବିବାର ସକାଳ ୬ଟା ସୁଦ୍ଧା ୨୪୧ ମିମି ବର୍ଷା ହୋଇଥିଲା। ଏବେ ବି ସେଠାରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ଆହୁରି ସାଂଘାତିକ ହୋଇଛି। ବର୍ଷା ପାଣି ସୁଅ ମାରିବାରୁ ସହରରେ ଏକାଧିକ କାର୍‌ ଭାସି ଯାଇଛି।

ଦୁଇଟି ଜାତୀୟ ରାଜପଥ, ୧୦ଟି ରାଜ୍ୟ ରାଜପଥ ଓ ୩୦୦ଟି ଗ୍ରାମୀଣ ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ସହରାଞ୍ଚଳରେ ବର୍ଷା ପାଣି ଜମି ରହିବାରୁ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି।

ଆଜି ସକାଳୁ କିଛି ସ୍ଥାନରେ ବର୍ଷା ସାମାନ୍ୟ ଛାଡ଼ିବାରୁ ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ଟିମ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏବେ ବି ଶତାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଜୁନାଗଡ଼ରୁ ଏଯାଏ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ପ୍ରଶାସନ କହିଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କିଛି ସ୍ଥାନରେ ଅଚାନକ ବନ୍ୟା ଯୋଗୁ କାର୍‌ ଓ ଅନ୍ୟାନ୍ୟ ଗାଡ଼ି ଭାସି ଯାଇଥିଲା। ଗୋଟିଏ ଗାଡ଼ି ଉପରେ ଆଉ ଗୋଟିଏ ଗାଡ଼ି ମାଡ଼ି ଯାଇଛି। ସେଗୁଡ଼ିକୁ ଅଲଗା କରିବା ତଥା ଗାଡ଼ିଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କ୍ରେନର ବ୍ୟବହାର କରାଯାଉଛି। ଆବାସିକ ଅଞ୍ଚଳରେ ଜମି ରହିଥିବା ପାଣିକୁ କାଢ଼ିବା ପାଇଁ ମଟୋର ପମ୍ପର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସେୟାର କରନ୍ତୁ

Next Post

ଗାଳ୍ପିକ ଅଭିରାମ ମଣ୍ଡଳଙ୍କ ଗଳ୍ପ ସଙ୍କଳନ"ପରାହତ ନାୟକ" ଲୋକାର୍ପିତ....

Sun Jul 23 , 2023
ଆଦିତ୍ଯ ବେହେରା(ଭୁବନେଶ୍ବର):ଆଜି ସଂନ୍ଧ୍ଯାରେ ରାଜଶ୍ରୀ ପରିବାରର ବରିଷ୍ଠ ସଦସ୍ୟ,ବିଶିଷ୍ଟ ଅନୁବାଦକ ତଥା ସୁନାମଧନ୍ୟ ଗାଳ୍ପିକ ଅଭିରାମ ମଣ୍ଡଳଙ୍କର ଗଳ୍ପ ସଂକଳନ “ପରାହତ ନାୟକ ” ଭୁବନେଶ୍ୱର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ନାରାୟଣୀ ବୁକ୍ ଷ୍ଟଲ୍ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ପର୍ବରେ ବିଶିଷ୍ଟ ସାହିତ୍ୟିକ ତଥ ଲବ୍ଧପ୍ରତିଷ୍ଠ କଥାକାର,କବି ଅଜୟ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଲୋକାର୍ପିତ କରିଥିଲେ। ରାମାଂଶୁ ପ୍ରକାଶନୀ ଦ୍ଵାରା ପ୍ରକାଶିତ ଏହି […]

You May Like

Pin It on Pinterest