
ସଂଜୟ ଶତପଥୀ(କଟକ): କଟକ ଡିଷ୍ଟ୍ରିକ୍ଟ୍ ଟାଟା ମାଜିକ୍ ଅଟୋ ଆସୋସିଏସନ୍ (ସ୍କୁଲ ଗାଡ଼ି ସଂଘ) ର ୮ମ ବାର୍ଷିକୋତ୍ସବ ସ୍ଥାନୀୟ ବିଡାନାସୀ ମଣ୍ଟେଶ୍ବରୀ ଗଡା, ସେକ୍ଟର -୧୦,ସି.ଡି.ଏ, କଟକ ଠାରେ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ତୋଫାନ କୁମାର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାରବାଟୀ -କଟକର ମାନନୀୟ ବିଧାୟକ ଇଂ ମହମ୍ମଦ ମୋକିମ୍, ସମ୍ମାନୀୟ ଅତିଥି ଭାବେ କଟକ ମହାନଗର ନିଗମର ମାନନୀୟ ମେୟର ଶ୍ରୀ ସୁବାଷ ସିଂ, ଭାରତୀୟ ମଜଦୂର ସଂଘ, ଓଡ଼ିଶା ର ବରିଷ୍ଠ ସଦସ୍ୟ ତଥା ଶ୍ରମିକ ନେତା ଶ୍ରୀ ବସନ୍ତ କୁମାର ସାହୁ, କଟକ ପରିବହନ ବିଭାଗର ମୋଟର ଯାନ ନିରୀକ୍ଷକ ଶ୍ରୀ ବିଶ୍ଵଜିତ ଦାସ , କଟକ ମହାନଗର ନିଗମ ୪ ନମ୍ବର ଓ୍ବାର୍ଡ କର୍ପୋରେଟର ମାନନୀୟା ପ୍ରିୟମ୍ବଦା ମହାନ୍ତି, କଟକ ଅଟୋ ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଶୈଳେନ୍ଦ୍ର କୁମାର ଧଳ, ଉପ-ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ପାଣିଗ୍ରାହୀ, କଟକ ମହାନଗର ନିଗମ ଓ୍ବାର୍ଡ ନଂ -୨ ର ମାନନୀୟା କର୍ପୋରେଟର ଶ୍ରୀମତୀ ପୁଷ୍ପିତା ମହାନ୍ତି ଯୋଗଦେଇଥିଲେ।
ପ୍ରାରମ୍ଭ ରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ଅତିଥି ମେୟର ଶ୍ରୀ ସିଂ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥୂବା କଲ୍ୟାଣ ବୋର୍ଡର ବୀମା ରାଶି ଦ୍ଵାରା କିପରି ଡ୍ରାଇଭରମାନେ ଉପକୃତ ହେବେ ସେ ବିଷୟରେ ସୂଚନା ଦେଇଥିଲେ। ମୋଟର ଯାନ ନିରୀକ୍ଷକ ଶ୍ରୀ ଦାସ ଅଟୋ ଚାଳକମାନେ ସଦାସର୍ବଦା ନିଜ ନିଜର ଗାଡ଼ିର କାଗଜପତ୍ର ସହ ନିଜର ଗାଡି ଚାଳନା ଲାଇସେନ୍ସ ନିୟମିତ ରଖୂବାକୁ ଅନୁରୋଧ କରିଥିଲେ।ଇଂ ମୋକିମ୍ ନିଜ ବକ୍ତବ୍ୟରେ ଅଟୋ ଚାଳକ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଥିଲେ। ସର୍ବଶେଷରେ ସଂଘ ର ସଂଗଠନ ସମ୍ପାଦକ ଶ୍ରୀ ସୁଦାମ ଚରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଂଘ ର ବହୁ ଅଟୋ ଚାଳକ ସଦସ୍ୟ ଯୋଗ ଦେଇ ଉତ୍ସବ କୁ ସଫଳ କରାଇବାରେ ସହାୟକ ହୋଇଥିଲେ।