ବାସ୍ତବ ବ୍ୟୁରୋ: ଓଡ଼ିଶାକୁ ମିଳିବ ଆଉ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ । ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଆଜି ଭୁବନେଶ୍ୱର ରେଳଷ୍ଟେସନଠାରେ ଅତ୍ୟାଧୁନିକ ତେଜସ୍ ରେକଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, “ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ ନିମନ୍ତେ ରୁଟ୍ ଚାର୍ଟ ଚୂଡ଼ାନ୍ତ ହୋଇସାରିଛି ଓ ଏହା ରାଉରକେଲା, ସୁନ୍ଦରଗଡ଼, ତାଳଚେର ଓ ଅନୁଗୋଳ ଦେଇ ଚଳାଚଳ କରିବ । ଗତ ମେ’ ୧୮ତାରିଖରେ ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ଲୋକାର୍ପଣ କରିବାବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆଉ ଏକ ସେମି ହାଇସ୍ପିଡ୍ ଟ୍ରେନ ବନ୍ଦେ ଭାରତ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତିକୁ ରକ୍ଷା କରି ରେଳ ମନ୍ତ୍ରଣାଳୟ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ।” ତେବେ ଏହି ଟ୍ରେନ କେବେ ଚାଲିବ ସେ ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ନାହାନ୍ତି।
ସୂଚନାଯୋଗ୍ୟ, ଗତ ମେ’ ୧୮ତାରିଖରୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ପୁରୀ ଓ ହାୱାଡା ମଧ୍ୟରେ ଚଳାଚଳ କରୁଛି । ପ୍ରଧାନମନ୍ତ୍ରୀ ମୋଦି ଏହାର ଲୋକାର୍ପଣ କରିଥିଲେ ।