ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ;ଲାଲକିଲ୍ଲାରୁ ଥ୍ରୀ-ଡି ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ….

ବାସ୍ତବ ବ୍ୟୁରୋ: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ସ୍ୱାଧୀନତାର ଅମୃତ ମହୋତ୍ସବର ସମାପନ ସହ ଦେଶ ଅମୃତ ଯୁଗରେ ପ୍ରବେଶ କରିବ । ଦୁଇ ବର୍ଷ ପୂର୍ବେ ଅହମ୍ମଦାବାଦର ସାବରମତି ଆଶ୍ରମରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଐତିହାସିକ କ୍ଷଣର ଶୁଭାରମ୍ଭ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଏଥର ଦେଶବାସୀଙ୍କୁ ପରିବାରଜନ କହି ସମ୍ୱୋଧିତ କରିଛନ୍ତି। ସେ କହିଛନ୍ତି, “ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଦେଶ। ଏତେ ବଡ ଦେଶ, ମୋ ପରିବାରର ୧୪୦ କୋଟି ସଦସ୍ୟ ଆଜି ସ୍ୱାଧୀନତା ଦିବସ ପାଳନ କରୁଛନ୍ତି।”

ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ପ୍ରାକୃତିକ ବିପର୍ଯ୍ୟୟ ଉପରେ ବକ୍ତବ୍ୟ ରଖି କହିଛନ୍ତି, ‘କିଛିଦିନ ହେବ ଦେଶରେ ବିଭିନ୍ନ ଅଞ୍ଚଳବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି। ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି ସମସ୍ତଙ୍କୁ ସମବେଦନା ଜଣାଉଛି।’ ମଣିପୁର ହିଂସା ଉପରେ ମଧ୍ୟ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମଣିପୁରରେ ଯେଉଁ ହିଂସା ଘଟିଥିଲା ତାହା ମୋତେ ବ୍ୟଥିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତଥାପି କିଛି ଦିନ ଧରି ନିରନ୍ତର ସେଠାରେ ଶାନ୍ତି ଖବର ଆସୁଛି, ଏହା ଆଶ୍ୱସ୍ତିକର। ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରବାସୀଙ୍କ ସହ ପୂରା ଦେଶ ଛିଡା ହୋଇଛି। ଲୋକମାନେ ଶାନ୍ତି ପର୍ବକୁ ଆଗକୁ ବଢିବା ଉଚିତ୍। ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ଏବଂ ଜାରି ରଖିବେ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “ଆଜି ଆମ ଯୁବପିଢି ଯେଉଁ ସୌଭାଗ୍ୟ ପାଇଛନ୍ତି ତାହା କଷ୍ଟସାଧ୍ୟ। ଆମେ ଏହାକୁ ହରାଇବା ଉଚିତ୍ ନୁହେଁ। ଆଗାମୀ ସମୟ ଦେଶ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି। ଆମର ଛୋଟ ସହରଗୁଡିକ ଜନସଂଖ୍ୟାରେ କମ୍ ହୋଇପାରନ୍ତି, କିନ୍ତୁ ସେମାନଙ୍କ ସାମର୍ଥ୍ୟ ଅନ୍ୟମାନଙ୍କଠାରୁ କିଛି କମ୍ ନୁହେଁ। ଦେଶରେ କୌଣସି ସୁଯୋଗର ଅଭାବ ନାହିଁ। ଆପଣ ଯେତେ ସୁଯୋଗ ଚାହିଁବେ ଏହି ଦେଶ ସେତେ ସୁଯୋଗ ଦେବାର ସାମର୍ଥ୍ୟ ରଖିଛି। “

ଏଥିସହିତ ତାଙ୍କ ବିଜେପି ସରକାର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଜନତାଙ୍କ ନିକଟରେ ପହଞ୍ଚାଇଥିବା ସମସ୍ତ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି। ଥ୍ରୀ – ଡି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା କଥା କହିଛନ୍ତି । ମୋଦୀ କହିଛନ୍ତି, ଡେମୋକ୍ରାସି, ଡେମୋଗ୍ରାଫି, ଡାଇଭର୍ସିଟି ଅର୍ଥାତ୍ ଭୌଗୋଳିକ ସ୍ଥିତି, ବିବିଧତା ଓ ଗଣତନ୍ତ୍ର ଦେଶର ସ୍ୱପ୍ନ ପୂରଣ କରିବାକୁ ସମର୍ଥ ।ବିଭିନ୍ନ ପୂର୍ବ ଯୋଜନାର ସଫଳତା ବଖାଣିବା ସହ ଏକ ନୂଆ ଯୋଜନା ଅୟମାରମ୍ଭ ଉପରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। 

ପାରମ୍ପାରିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ ‘ବିଶ୍ୱକର୍ମ ଯୋଜନା’ ଆସିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ମାସରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ ‘ବିଶ୍ୱକର୍ମା ଯୋଜନା’ ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ସରକାର ସାହାଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ସୁନା କାରିଗର, କମାର, ବାରିକ, ମୋଚୀ ଭଳି ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଥିପାଇଁ ୧୩-୧୫ ହଜାର କୋଟିର ବ୍ୟୟ ଅଟକଳ ହୋଇଛି।

ସେୟାର କରନ୍ତୁ

Next Post

ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

Tue Aug 15 , 2023
ବାସ୍ତବ ବ୍ୟୁରୋ: ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଛାତ୍ର ଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରକୁ ଯିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକ୍ୟୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇଥିବା ଅଭିଯୋଗ ହୋଇଛି । ଫଳରେ ଗେଟ୍ ବାହାରେ ତ୍ରିରଙ୍ଗା ଧରି ଧାରଣାରେ ବସିଛନ୍ତି । ଅନ୍ୟ ଗୋଷ୍ଠୀ କ୍ୟାମ୍ପସ ଭିତରେ ରହିଛନ୍ତି । ଘଟଣାସ୍ଥଳରେ […]

You May Like

Pin It on Pinterest