
ବାସ୍ତବ ବ୍ୟୁରୋ: ଇତିହାସ ରଚିଲା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଇସ୍ରୋ ବୈଜ୍ଞାନିକଙ୍କ ସମସ୍ତ ପ୍ରଚେଷ୍ଠା ଓ ପରିଶ୍ରମର ଫଳ ଆଜି ଦେଶବାସୀଙ୍କୁ ମିଳିଛି । ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ସାରା ଦେଶ ଗର୍ବ କରୁଥିବା ବେଳେ ପ୍ରଶଂସାରେ ପୋତି ପକାଇଛି ବିଶ୍ୱ । ୨୦୧୯ ରେ ଭାରତ ତାର ଚନ୍ଦ୍ର ଅଭିଯାନରେ ବିଫଳ ହୋଇଥିବା ବେଳେ ଦୀର୍ଘ ୫ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ଇସ୍ରୋର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ସଫଳତାପୂର୍ବକ ଚନ୍ଦ୍ରରେ ଅବତରଣ କରିଛି ।
ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ବର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି । ପୂର୍ବରୁ ଆମେରିକା, ରୁଷ, ଚୀନ ଏହି ସଫଳତା ହାସଲ କରିଛନ୍ତି । କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ପ୍ରଥମ ଦେଶରେ ପରିଣତ ହୋଇଛି ।
ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତର ଉଦୟର କ୍ଷଣ ବୋଲି ସେ କହିଛନ୍ତି ।
ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିବା ପରେ ଏବେ ଚନ୍ଦ୍ରରେ ଥିବା ସମସ୍ତ ଗୁପ୍ତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି । ଚନ୍ଦ୍ରର ମାଟି, ଜଳ ଓ ଜୀବନର ସନ୍ଧାନ କରିବାରେ ବୈଜ୍ଞାନିକମାନଙ୍କୁ ଏବେ ସହଜ ହେବ । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ଥିବା ସମସ୍ତ ରହସ୍ୟକୁ ଉନ୍ମୋଚନ କରିବା ସହ ଏହାର ତଥ୍ୟ ଭାରତକୁ ପ୍ରଦାନ କରିବ ।
ଚନ୍ଦ୍ରଯାନ ୩ର ସଫଳତା କେବଳ ଭାରତ ପାଇଁ ନୁହେଁ ବରଂ ସାରା ବିଶ୍ୱପାଇଁ ଏକ ସଫଳତା ବୋଲି କୁହାଯାଉଛି । ଏହାର କାରଣ ହେଉଛି ଚନ୍ଦ୍ରଯାନ-୩ ଚନ୍ଦ୍ରରୁ ଯେଉଁ ତଥ୍ୟ ପ୍ରଦାନ କରିବ ତାହା କେବଳ ଭାରତ ନୁହେଁ ବରଂ ଅନ୍ୟଦେଶର ବୈଜ୍ଞାନିକଙ୍କୁ ଚନ୍ଦ୍ର ଅଭିଯାନରେ ଅନେକ ସହାୟକ ହେବ ।