
ବାସ୍ତବ ବ୍ୟୁରୋ: ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଚାରି ମାସର ସମୟ ଦେଇଥିଲା ତାହା ଆଜି (ଶନିବାର) ଶେଷ ହେଉଥିଲା। ହେଲେ ଏହାକୁ ଆରବିଆଇ ବଢାଇ ଦେଇଛି। ଆରବିଆଇ ଦ୍ବାରା ଜାରି ବିବୃତିରେ କୁହାଯାଇଛି ଯେ ୨୦୨୩ ମସିହା ଅକ୍ଟୋବର ୭ ତାରିଖ ଯାଏ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ।
ଅକ୍ଟୋବର ୮ ତାରିଖରୁ ବ୍ୟାଙ୍କ ଶାଖାରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା ଏବଂ ବିନିମୟ ବନ୍ଦ ହୋଇଯିବ। ଅକ୍ଟୋବର ୮ ତାରିଖ ପରେ, ଆରବିଆଇର ୧୯ଟି ଅଫିସରେ ଏକ ସମୟରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଯାଇପାରିବ। ଲୋକମାନେ ଆରବିଆଇର ୧୯ଟି କାର୍ଯ୍ୟାଳୟକୁ ଡାକ ବିଭାଗରୁ ଦୁଇ ହଜାର ଟଙ୍କିଆ ନୋଟ୍ ମଧ୍ୟ ପଠାଇ ପାରିବେ। ଏହି ନୋଟର ମୂଲ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହେବ।