ବାସ୍ତବ ବ୍ୟୁରୋ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ମୋଦି। ସମ୍ବଲପୁର IIMର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି।
ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁସଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି।
ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଅପରାହ୍ନରେ ଆସି ପ୍ରଥମେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବେ। ସେଠାରୁ ସ୍ୱତନ୍ତ୍ର ହେଲିକପଟରରେ ସମ୍ବଲପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ ଯାଏଁ ଯାଇ ଆଇଆଇଏମ କ୍ୟାମ୍ପସରେ ପହଞ୍ଚିବେ।
ସେଠାରେ ଲୋକାର୍ପଣ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ପରେ ରେମେଡ୍ ପଡ଼ିଆରେ ଏକ ସାଧାରଣ ସଭାକୁ ମୋଦି ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର ୧୬୮ କିଲୋମିଟର ରେଳପଥ ଦୋହରୀକରଣ ଆଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।



