ବାସ୍ତବ ବ୍ୟୁରୋ- କରୋନା ସଂକ୍ରମଣ କୁ ରୋକିବା ପାଇଁ ଲକ୍ ଡାଉନ୍ ରେ ସାରା ଦେଶ । ଏହି ସମୟରେ ବହୁ କୁଶଳୀ ତଥା ଅଣ-କୁଶଳୀ ଶ୍ରମିକ କାମଧନ୍ଦା ଲାଗି ବାହାର ରାଜ୍ୟକୁ ଯାଇଥିବା ବେଳେ ଅଟକି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଗୁଜରାଟରେ ଅଟକି ରହିଛନ୍ତି । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ଟି ଅନ୍ ଲାଇନ୍ ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସମେତ ନୋଡାଲ୍ ଅଧିକାରୀମାନେ ଶ୍ରମିକମାନଙ୍କ ସହିତ ଯୋଗାଯୋଗରେ ନିୟୋଜିତ ରହିଛନ୍ତି ।

ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଆଇଏଏସ୍ ଅସିତ ତ୍ରିପାଠୀ କହିଛନ୍ତି, “ଓଡ଼ିଶାର ବହୁ ଶ୍ରମିକ ବିଭିନ୍ନ କାମଧନ୍ଦା ପାଇଁ ଭାରତର ବିଭିନ୍ନ ରାଜ୍ୟକୁ ଯାଇଥିଲେ । ତେବେ କରୋନା ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍ ଡାଉନରେ ସେମାନେ ଅଟକି ରହିଛନ୍ତି । ରାଜ୍ୟର ବରିଷ୍ଠ ଆଇଏଏସ୍, ଆଇପିଏସ୍ ଅଧିକାରୀ ଏବଂ ନୋଡାଲ ଅଧିକାରୀମାନେ ଏନେଇ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ସେମାନଙ୍କ ପାଖରେ ଆବଶ୍ୟକ ରିଲିଫ୍ ସହାୟତା ପଠାଇବା କାର୍ଯ୍ୟ ଜାରି ରହିଛି” ।
ଏହି ଅବସରରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ମୁଖ୍ୟ ସଚିବ ଆଇଏଏସ୍ ସଞ୍ଜିବ୍ ଚୋପ୍ରା କହିଛନ୍ତି, ” ଆମର ୨୪ ଘଂଟିଆ ହେଲପ୍ ଲାଇନ୍ ଏବଂ ପୋର୍ଟାଲ ଦ୍ୱାରା ସେମାନଙ୍କ ପାଖରେ ନିରନ୍ତର ରିଲିଫ୍ ସହାୟତା ମାର୍ଚ୍ଚ ୨୬ଠାରୁ ଯୋଗାଣ ଜାରି ରହିଛି । ସେମାନଙ୍କ ପ୍ରତିଟି କଲ୍ ଗ୍ରହଣ କରାଯିବା ସହିତ ଆବଶ୍ୟକ ସୂଚନା ସେମାନଙ୍କୁ ପ୍ରଦାନ କରାଯାଉଛି । ସେମାନଙ୍କ ହେଲପ୍ ଲାଇନ୍ ପକ୍ଷରୁ ମଧ୍ୟ କଲ୍ କରାଯାଉଛି” ।
ରାଜ୍ୟ ସରକାରଙ୍କ ହେଲପ୍ ଲାଇନ୍ ସେମାନଙ୍କ ପାଇଁ ବେଶ୍ ସହାୟକ ହେଉଛି । ଏହି ୨୪ ଘଂଟିଆ ହେଲପ୍ ଲାଇନ୍ ଏବଂ ପୋର୍ଟାଲ ଦ୍ୱାରା ବାହାରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ସଙ୍କଟ ଲାଘବ ହେଇପାରିବ ।
