
ଆଦିତ୍ଯ ବେହେରା(ଭୁବନେଶ୍ବର): ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା ଭଳି ଅନେକ ଭକ୍ତି ଭାବର ଭଜନର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଆଉ ନାହାଁନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି ।
ମିଳିଥିବା ସୂଚନା ଅନୁଯାଇ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ । ‘ଥକା ମନ ଚାଲ ଯିବା’ ସହ ‘ଜଗନ୍ନାଥ ତୁମେ ବଡ ଛଳିଆ’ ଆଦି ଗୀତ ପାଇଁ ସେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ।ନିଜ କଣ୍ଠର ଯାଦୁଗରିରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଓ ବିଭୁ ଚେତନା ସୃଷ୍ଟି କରୁଥିଲା । ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଥିଲା ।
ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବରରେ ୧ ଅକ୍ଟୋବର ୧୯୬୦ରେ ଜନ୍ମ ହୋଇଥିଲେ ଶାନ୍ତିଲତା । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଓଡ଼ିଶୀ ସଙ୍ଗୀତରେ ଆଚାର୍ଯ୍ୟ କରିଥିବା
ଶାନ୍ତିଲତା ବିଶିଷ୍ଟ ସଙ୍ଗୀତ ଗୁରୁ ବାଳକୃଷ୍ଣ ଦାସ, ମାର୍କଣ୍ଡେୟ ମହାପାତ୍ର, ସିଂହାରୀ ଶ୍ୟାମସୁନ୍ଦର କର, ଗୋପାଳ ପଣ୍ଡା ପ୍ରମୁଖଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ।‘ଶିଶୁ ସଂସାର’ ସିଧା ପ୍ରସାରଣରୁ ଆକାଶବାଣୀ ସହ ସଂପୂକୁ ଏବଂ ପରେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଳାକାର ହୋଇଥିଲେ । ୧୯୭୫ ମସିହାରେ ପ୍ରଥମ ଗ୍ରାମୋଫୋନ୍ ରେକର୍ଡ ‘ହେ ଚକାନୟନ’ ଓ ‘ମଲ୍ଲୀଫୁଲ ଗଜରାମାଳ’ ବାଳକୃଷ୍ଣ ଦାଶଙ୍କ ଦ୍ବାରା ସ୍ବରବଦ୍ଧ ହୋଇ ଇବ୍ରେକୋ କମ୍ପାନି ଦ୍ବାରା ଗୃହୀତ ଓ ପ୍ରସାରିତ ହୋଇଥିଲା । ସବୁବେଳେ ପାରମ୍ପରିକ ଶୈଳୀରେ ଗାୟନକୁ ଗୁରୁତ୍ବ ଦେଇଆସିଥିବା ଶାନ୍ତିଲତା ପଲ୍ଲୀ, ସୁଗମ, ଓଡ଼ିଶୀ ସଂଗୀତରେ ପ୍ରବୀଣା ହୋଇଥିଲେ ମଧ୍ୟ ‘ଭକ୍ତି ଗୀତ’ ଗାୟନରେସର୍ବାଧିକ ପ୍ରସିଦ୍ଧି ପାଇଥିଲେ ।
ଓଡ଼ିଆ ଚଳଚ୍ଚିତ୍ର ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟରେ ‘ବାସନ୍ତୀ ଅପା’ ‘ମା ମଙ୍ଗଳା’ ଗୀତ ପୁରପଲ୍ଲୀରେ ବେଶ୍ ଆଦୃତ ହୋଇଥିଲା । ସଂଗୀତ ଅନୁଷ୍ଠାନ ‘ସ୍ବର ତୀର୍ଥ’ର ପ୍ରତିଷ୍ଠାତ୍ରୀ ହେଉଛନ୍ତି ଶାନ୍ତିଲତା । ‘ହେ ଚକାନୟନ’, ‘ଭଜିଭଜି ତୋ ନାମ’, ‘ବାଲିରେଣୁ ମହାବନ୍ଧ ସୁଜନେ ହୋ’, ‘ଦେଖ ଉଡୁଛି ବାନା’, ଆଦି ତାଙ୍କର କେତୋଟି ଲୋକପ୍ରିୟ ଭଜନ । ଓଡ଼ିଶା ସଙ୍ଗୀତ ଏକାଡେମୀ ପକ୍ଷରୁ ୨୦୧୭ମସିହାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ସମ୍ମାନିତ ହୋଇଥିବାବେଳେ ୨୦୨୩ ମସିହା ଫେବ୍ରୁଆରି ୧୩ରେ ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ବହୁ ଆଗଧାଡିର ସଂଗୀତ କାର,ତଥା କଳାକାରମାନେ ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।



