ମୋହନ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ; କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ । 

ବାସ୍ତବ ବ୍ୟୁରୋ: ଓଡ଼ିଶା ଇତିହାସରେ ଯୋଡ଼ି ହେଲା ଏକ ନୂଆ ପୃଷ୍ଠା । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ।

ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଅପରାହ୍‌ଣରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ସଦର ଆସନରୁ ୪ର୍ଥ ଥର ପାଇଁ ବିଧାୟକ ହୋଇଥିବା ମୋହନ ମାଝୀ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ତେବେ ଓଡ଼ିଶାରେ ପ୍ରଥମଥର ପାଇଁ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ପାଟଣାଗଡ଼ର ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ।

କନକ ବର୍ଦ୍ଧନ ପାଟଣାଗଡ଼ରୁ ୬ଷ୍ଠ ଥର ପାଇଁ ବିଧାୟକ ହୋଇଛନ୍ତି। ସେହିପରି ପ୍ରଭାତୀ ଚଳିତ ବର୍ଷ ପ୍ରଥମଥର ପାଇଁ ନିମାପଡ଼ା ଆସନରୁ ବିଜୟୀ ହୋଇଛନ୍ତି। ପ୍ରଥମଥର ପାଇଁ ସେ ନିର୍ବାଚନ ଜିତିଥିଲେ ହେଁ ତାଙ୍କୁ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କରାଯାଇଛି।

ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ବୈଠକରେ ମୋହନ ମାଝୀଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ମୋହନ ମାଝୀଙ୍କ ରାଜନୈତିକ କ୍ୟାରିୟର ଜଣେ ସରପଞ୍ଚ ଭାବେ ଆରମ୍ଭ ହେଇଥିଲା । ୧୯୯୭-୨୦୦୦ ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଧାୟକ ଭାବେ କେନ୍ଦୁଝରରୁ ନିର୍ବାଚିତ ହେଇଥିଲେ ।  ୨୦୦୦ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୧,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ  ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।  ଏହି ବିଧାନସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳ ଭାଙ୍ଗିବା ଯାଏଁ କାର୍ଯ୍ୟ କରିଥିଲେ ।

ଗତ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଆଉ ଏଥର ମଧ୍ୟ ସେ ସେହି ସମାନ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେବା ସହିତ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେଇଛନ୍ତି ।

ସେୟାର କରନ୍ତୁ

Next Post

ଶାଶ୍ଵତୀ ନାଟ୍ୟ ସଂସ୍ଥା ବ୍ରହ୍ମପୁର ଦ୍ଵାରା ପ୍ରଯୋଜିତ ନାଟକ " ବସା ଘର"କୁ ଜାତୀୟ ସ୍ତରରେ ୭ ଗୋଟି ପୁରସ୍କାର....

Wed Jun 12 , 2024
ବ୍ରହ୍ମପୁର ତା ୧୨-୦୬-୨୪:ନିଖିଳ ଉତ୍କଳ କଳା ନିକେତନ, କଟକ ଦ୍ଵାରା ଚାଳିତ ମାସ ୮ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଆୟୋଜିତ (୭ମ ଷ୍ଟାର କଲ୍ଚରାଲ ଫେଷ୍ଟିଭାଲ) ସର୍ବ ଭାରତୀୟ ବହୁ ଭାଷୀ ନାଟକ ଏବଂ ନୃତ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ବ୍ରହ୍ମପୁର ସହର ର ଅଗ୍ରଣୀ ନାଟ୍ୟ ସଂସ୍ଥା “ଶାଶ୍ଵତୀ” ଉଦ୍ଘାଟନୀ ସନ୍ଧ୍ୟାରେ ସୁଶ୍ରୀ ଭାଗ୍ୟ ଲକ୍ଷ୍ମୀ ମହାରଣା ଙ୍କ ରଚିତ ଏବଂ […]

You May Like

Pin It on Pinterest