ଆଜି ୧୦୮ ଗରା ଜଳରେ ମହାସ୍ନାନ କରିବେ ଜଗତର ନାଥ ଶ୍ରୀଜଗନ୍ନାଥ….

ସଂଜୟ ଶତପଥୀ: ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ହେଉଛି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀରୁ ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାସ୍ନାନ କରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ପୁରୀରେ ଶ୍ରୀଜୀଉମାନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ପାରମ୍ପରିକ ରୀତି ନୀତି ଅନୁସାରେ ରତ୍ନବେଦୀରୁ ଆସି ସ୍ନାନମଣ୍ଡପରେ ବିଜେ ହୋଇସାରିଲେଣି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର, ସାନଭଉଣୀ ଦେବୀ ସୁଭଦ୍ରା ତଥା ଚକ୍ରରାଜ ଶ୍ରୀସୁଦର୍ଶନ । ସ୍ନାନବେଦୀ ଆଜି ରଙ୍ଗବେରଙ୍ଗୀ ପୁଷ୍ପହାରରେ ସଜ୍ଜିତ ହୋଇଛି । ସ୍ନାନମଣ୍ଡପରେ ନୂଆ ରଙ୍ଗ ଲାଗି ଚହଟୁଛି ବେଦୀ । ବଡ଼ଦାଣ୍ଡରେ ଉପସ୍ଥିତ ରହିଥିବା ଶ୍ରଦ୍ଧାଳୁଙ୍କ ସମେତ ସମସ୍ତ ଦଇତାପତି ସେବକ ତଥା ଶ୍ରୀମନ୍ଦିର ସେବାୟତଙ୍କ ମନରେ ଭରିଯାଇଛି ଆନନ୍ଦ ଉଲ୍ଲାସ । ପୌରାଣିକ କଥାବସ୍ତୁ ଅନୁସାରେ ଆଜି ଶ୍ରୀଜୀଉମାନଙ୍କ ଜନ୍ମ ତିଥି । ଏହି ଜନ୍ମତିଥିରେ ଶ୍ରୀଜୀଉମାନେ ସୁନା କଳସୀ ଜଳରେ ମହାନନ୍ଦରେ ମହାସ୍ନାନ କରିବାର ବିଧିକୁ ବିଶ୍ୱର କୋଟି କୋଟି ଶ୍ରଦ୍ଧାଳୁ ଦର୍ଶନ କରିବେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି ଭକ୍ତଜନଙ୍କ ହୃଦୟରେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂରତି ରତ୍ନ ସିଂହାସନରୁ ସ୍ନାନବେଦୀକୁ ବିରାଜମାନ କରିଥାଆନ୍ତି । ପରମ୍ପରା ତଥା ଶ୍ରୀମନ୍ଦିରର ନୀତି ଅନୁଯାୟୀ ଶ୍ରୀମନ୍ଦିର ବାହାରେ ଥିବା ଶୀତଳାଦେବୀଙ୍କ ନିକଟସ୍ଥ ସୁନା କୂଅରୁ ଜଳ ବାହାର କରି କଳସରେ ଅଣାଯାଇଥାଏ । ସ୍ନାନ ପୂର୍ଣ୍ଣିମା ଦିନ ଏହି ଜଳକୁ ଗରାରେ ଅଣାଯାଇ ସେଥିରେ ଚୂଆ, ଚନ୍ଦନ, କର୍ପୂର ଇତ୍ୟାଦି ସୁବାସିତ ପଦାର୍ଥ ମିଶ୍ରଣ କରାଯାଇଥାଏ । ଏହାପରେ ଶ୍ରୀଜୀଉମାନଙ୍କୁ ଏହି ଜଳରେ ସ୍ନାନ କରାଯାଇଥାଏ । ସୁନାକୂଅରୁ ୧୦୮ ଗରା ଜଳ ଆସିବା ପରେ ଶ୍ରୀଜଗନ୍ନାଥଙ୍କୁ ୩୫ ଗଡୁ, ଶ୍ରୀବଳଭଦ୍ରଙ୍କୁ ୩୩ ଗଡୁ ଓ ଦେବୀ ସୁଭଦ୍ରାଙ୍କୁ ୨୨ ଗଡୁ ଜଳରେ ସ୍ନାନ କରାଯାଏ । ସେହିପରି ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ୧୮ ଗଡୁ ଜଳ ରେ ସ୍ନାନ କରିବା ବିଧି ରହିଛି ।

ଏହାପରେ ଶ୍ରୀଜୀଉମାନଙ୍କୁ ଗଜ ବା ହାତୀ ବା ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶକୁ ଦର୍ଶନ କରି କୋଟି କୋଟି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥାଆନ୍ତି । ଏହି ସ୍ନାନବିଧିକୁ ସ୍ୱଚକ୍ଷୁରେ ଦର୍ଶନ କରିବା ଲାଗି ଆଜି ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି । ଭଗବାନଙ୍କର ଏହି ପବିତ୍ର ବେଶକୁ ଟିକେ ମନଭରି ଦେଖିବାକୁ ଶ୍ରଦ୍ଧାଳୁମାନେ ବହୁ ଦୂରଦୂରାନ୍ତରୁ ଆସି ପୁରୀଠାରେ ଭିଡ଼ ଜମାଇଛନ୍ତି ।

ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ କବାଟ ଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ ଗୋଷ୍ଠୀର ସେବକ) ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତପାହଚ ଉପରେ ଟାହ୍ୟାନାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ । ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି l ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି l ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି । ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ’ ବୋଲି କୁହାଯାଏ । ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହିଥଲା । ଏହାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳା ପିଲାଙ୍କ ଉପରେ ପଡ଼େନାହିଁ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ ।ଏହାକୁ “ପ୍ରତ୍ୟକ୍ଷ ଅବକାଶ” କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ ।ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ ।

ତାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି ।
ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜୀଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି ।

ସେୟାର କରନ୍ତୁ

Next Post

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା...

Sat Jun 22 , 2024
ବାସ୍ତବ ବ୍ୟୁରୋ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିଛନ୍ତି ଚତୁର୍ଦ୍ଧା ମୂରତି । ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ତଡ଼ପଲାଗି ନୀତି ଶେଷ ହେବା ପରେ ଏବେ ଗରାବଡ଼ୁ ସେବକଙ୍କ ଦ୍ୱାରା ଜଳ ବିଜେ ନୀତି କରାଯାଇଥିଲା। ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ। ଶ୍ରୀଜଗନ୍ନାଥ ୩୫ କଳସ, ଶ୍ରୀବଳଭଦ୍ର ୩୩ କଳସ, ଦେବୀ ସୁଭଦ୍ରା ୨୨ କଳସ ଓ ଶ୍ରୀ […]

You May Like

Pin It on Pinterest