ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା ….

ବାସ୍ତବ ବ୍ୟୁରୋ: ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା ।ଲଗାତାର ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ସାଂସଦ ଓମ୍ ବିର୍ଲା । ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ କେ ସୁରେଶଙ୍କୁ ପରାଜିତ କରି ବାଚସ୍ପତି ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା ।

ଗୃହକାର୍ଯ୍ୟ ଆରମ୍ଭରୁ ଏନଡିଏର ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଯାହାକୁ ଏନଡିଏରେ ଥିବା ସହଯୋଗୀ ଦଳ ସମର୍ଥନ କରିଥିଲେ । ସେହିଭଳି ଇଣ୍ଡିଆ ମେଣ୍ଟ ପକ୍ଷରୁ କେ ସୁରେଶଙ୍କ ନାଁ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖାଯାଇଥିଲା । ଯାହାକୁ ଇଣ୍ଡିଆ ମେଣ୍ଟରେ ଥିବା ଦଳ ଗୁଡିକ ସମର୍ଥନ ଜଣାଇଥିଲେ । ତେଣୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଧ୍ୱନିମତ ସଂଗ୍ରହ କରିଥିଲେ । ଯେଉଁଥିରେ ଓମ୍ ବିର୍ଲା ବିଜୟୀ ହୋଇଥିବା ନେଇ ଗୃହରେ କହିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ।

ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଗାମୀ ୫ ବର୍ଷ ଆପଣ ଆମର ମାର୍ଗଦର୍ଶନ କରିବେ । ଆପଣଙ୍କୁ ବହୁତ ବଡ ଦାୟିତ୍ୱ ମିଳିଛି । ଓମ୍ ବିର୍ଲାଙ୍କ ପୂର୍ବ କାର୍ଯ୍ୟକାଳର କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣଙ୍କ ଅଧ୍ୟକ୍ଷତାରେ ଐତିହାସିକ କାମ ହୋଇଛି । ଯାହା ଗତ ୭୦ ବର୍ଷ ମଧ୍ୟରେ ହୋଇନଥିଲା ତାହା ଆପଣଙ୍କ କାର୍ଯ୍ୟକାଳରେ ହୋଇଛି । ୧୭ତମ ଲୋକସଭାର ସଂସଦୀୟ ଇତିହାସ ସ୍ୱର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହିବ । ୧୭ତମ ଲୋକସଭାର କାର୍ଯ୍ୟକାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ପାରିତ ହୋଇଛି । ନୂଆ ସଂସଦ ଭବନକୁ ମଧ୍ୟ ଆପଣଙ୍କ ଅଧ୍ୟକ୍ଷତାରେ ପ୍ରବେଶ କରିଛୁ । ଆପଣଙ୍କ ନେତୃତ୍ୱରେ ଜି-୨୦ ସଫଳ ଆୟୋଜନ କରିପାରିଲା ଭାରତ ।

ସେହିପରି ଓମ୍ ବିର୍ଲାଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ଓ ବିରୋଧୀ ଦଳ ତରଫରୁ ମୁଁ ଶୁଭେଚ୍ଛା ଜଣାଇଛି । ଏହି ସଦନ ଭାରତର ଲୋକଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରୁଛି ଏବଂ ଆପଣ ସେହି ସ୍ୱରର ଶେଷ ନିର୍ଣ୍ଣାୟକ ବ୍ୟକ୍ତି । ସରକାରଙ୍କ ପାଖରେ ରାଜନୈତିକ ଶକ୍ତି ଅଛି କିନ୍ତୁ ବିରୋଧୀ ବି ଭାରତୀୟ ଲୋକଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି । ଚଳିତଥର ବିରୋଧୀ ଦଳ ପୂର୍ବ ଥର ଅପେକ୍ଷା ଭାରତୀୟ ଲୋକଙ୍କ ସ୍ୱରକୁ ଅଧିକ ମାତ୍ରାରେ ପ୍ରତିନିଧିତ୍ୱ କରୁଛନ୍ତି ।

ସେୟାର କରନ୍ତୁ

Next Post

ମନୋଜ ହୋଇପାରନ୍ତି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

Wed Jun 26 , 2024
ଭୁବନେଶ୍ୱର ୨୬/୦୬(ଗୌତମ ମିଶ୍ର ): ମନୋଜ ଆହୁଜା ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ନେଇ ଚର୍ଚ୍ଚା ରାଜ୍ୟରେ ଜୋର ଧରିଛି।କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡର ଓଡିଶାକୁ ଫେରାଇଦେବା ପରେ ଏହି ଚର୍ଚ୍ଚା କୁ ବେଶ ଖୋରାକ ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ଓଡିଶା ଫେରାଇ ଆଣିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ ।ଏହାକୁ […]

You May Like

Pin It on Pinterest