
କେନ୍ଦ୍ରାପଡ଼ା୧୮/୦୭: ପଟ୍ଟାମୁଣ୍ଡାଇ କେନାଲରୋଡ଼ସ୍ଥିତ ଏବି କମ୍ଲେକ୍ସରେ ଚାଲୁଥିବା ଗାୟତ୍ରୀ ଡିଜିଟାଲ୍ ଏକ୍ସରେ ଆଣ୍ଡ ଲାବ୍ରୋଟୋରୀକୁ ଆଜି ସିଲ୍ କରିଛି ପ୍ରଶାସନ । ଉପଯୁକ୍ତ ଅଧିକାରୀଙ୍କଠାରୁ ବୈଧ ଅନୁମତିପତ୍ର ବା ଲାଇସେନ୍ସ ନ ନେଇ ମନଇଛା ଲାବ୍ରୋଟୋରୀରେ ପରୀକ୍ଷା ଚଳାଉଥିବାରୁ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ପ୍ରଶାସନର ଉପସ୍ଥିତିରେ ଆଜି ଦିନ ୧ଟାଠାରୁ ଏହାକୁ ପ୍ରଶାସନ ସିଲ୍ କରିଛି ।
ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ନିର୍ଦ୍ଦେଶକ୍ରମେ ଆଜି ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ, ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ନିରାକାର ପରିଡ଼ା ଏବଂ ଡ୍ରଗ୍ ଇନିସ୍ପେକ୍ଟର୍ ପ୍ରଦୀପ କୁମାର ସାହୁ ମିଳିତଭାବେ ଏହାର ଯାଂଚ କରିଥିଲେ । ପଟ୍ଟାମୁଣ୍ଡାଇ କଷଣଅଂଟାର ବସନ୍ତ କୁମାର ରାଉତ ଏବଂ ବଡ଼ମୂଳବସନ୍ତ ପଂଚାୟତ ଅନ୍ତର୍ଗତ ନସିପୁର ଗ୍ରାମର ପାର୍ଥସାରଥି ବିଶ୍ୱାଳ ନିଜକୁ ଗାୟତ୍ରୀ ଡିଜିଟାଲ୍ ଏକ୍ସରେ ଆଣ୍ଡ ଲାବ୍ରୋଟୋରୀର ମାଲିକ ବୋଲାଉଥିବା ବେଳେ ସେମାନେ ସେମାନଙ୍କ ଲାବ୍ରୋଟୋରୀ ଟେକ୍ନିସିଆନ୍ର ସାର୍ଟିଫିକେଟ୍ ଦେଖାଇପାରିନଥିଲେ ।
ଡିଜିଟାଲ ଏକ୍ସ-ରେ ମେସିନ୍ ଚାଲୁଛି ମାତ୍ର ପରିତାପର କଥା ନା ସେମାନଙ୍କ ପାଖରେ ଏକ୍ସ-ରେ ମେସିନ୍ ଚଳାଇବା ପାଇଁ ଅନୁମତିପତ୍ର ଅଛି ନା ଆଟୋମିକ୍ ଏନର୍ଜି ରେଗୁଲାଟୋରୀ ବୋର୍ଡ଼ର ସାର୍ଟିଫିକେଟ୍ ଅଛି । ସୂଚନନାଯୋଗ୍ୟ, ଯାଂଚ ସମୟରେ କୌଣସି ପ୍ରକାରର ଔଷଧ ସେଠାରେ ଗଚ୍ଛିତ ନଥିଲା । ଲାବ୍ରୋଟୋରୀରେ ଗଚ୍ଛିତ ଥିବା ଉପକରଣ, ଯନ୍ତ୍ରପାତି, ଉପସାଧନ ବା ସହାୟକ ଉପକରଣ ଆଦିର ଏକ ତାଲିକା କରି ବସନ୍ତ କୁମାର ରାଉତ ଏବଂ ପାର୍ଥସାରଥି ବିଶ୍ୱାଳଙ୍କୁ ପ୍ରଶାସନ ପକ୍ଷରୁ ହସ୍ତାନ୍ତର କରାଯାଇଛି । ଏହା ସହ ଜିଲ୍ଲାରେ ଅନୁମତିପତ୍ର ନନେଇ ବେଆଇନ୍ଭାବେ ଲାବ୍ରୋଟୋରୀ ଚଳାଉଥିବା ସମସ୍ତ ନକଲି ଟେକ୍ନିସିଆନଙ୍କୁ ପ୍ରଶାସନ ପକ୍ଷରୁ ଚରମ ଚେତାବନୀ ଶୁଣାଯାଇଛି । ଆଗାମୀ ଦିନରେ ଯଦି ଏଭଳି ଅନୁମତିପତ୍ର ନନେଇ ଲାବ୍ରୋଟୋରୀ ଚଳାଉଥିବାର ଅଭିଯୋଗ ଆସେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।