ବାସ୍ତବ ବ୍ୟୁରୋ: ପୁଣି ବଢ଼ିଲା ମାଗଣା ଆଧାର କାର୍ଡ ଅପଡେଟ୍ କରିବା ପାଇଁ ତାରିଖ । ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୪ ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ତାରିଖ ବୃଦ୍ଧି କରାଯାଇଛି।
ୟୁଆଇଡିଏଆଇ ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟ ମାଧ୍ୟମରେ ଏନେଇ ସୂଚନା ଦେଇଛି ଯେ ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବରରୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି।
ଏପରି ପରିସ୍ଥିତିରେ, ଆଧାରରୁ ନାମ, ଠିକଣା କିମ୍ବା ଜନ୍ମ ତାରିଖ ପରି ସୂଚନା ଅପଡେଟ୍ କରିବାକୁ ଲୋକଙ୍କୁ ପୁଣି ୩ ମାସ ସମୟ ମିଳିଛି। ଏହା ପରେ ଆଧାର ଅପଡେଟ୍ କରିବାକୁ ଦେୟ ଦେବାକୁ ପଡିବ। ମାଗଣାରେ ଆଧାର କାର୍ଡ ଅପଡେଟ୍ କରିବା ପାଇଁ ଅନଲାଇନ୍ ପ୍ରକ୍ରିୟା ଗ୍ରହଣ କରିହେବ। ଏଥିପାଇଁ ୟୁଆଇଡିଏଆଇର (My Aadhaar Portal)ର ଅଫିସିଆଲ୍ ୱେବସାଇଟ୍କୁ ଯିବାକୁ ପଡିବ ।
ମାଗଣା ଆଧାର ଅପଡେଟ୍ ସେବା କେବଳ ଅନଲାଇନରେ ଉପଲବ୍ଧ । ଆଧାର କାର୍ଡରେ କୌଣସି ପ୍ରକାରର ଅପଡେଟ୍ ପାଇଁ ଆଧାର କେନ୍ଦ୍ରକୁ ଗଲେ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡିବ । କିଛି ଅପଡେଟ୍, ଯେପରିକି ଆଇରିସ୍ କିମ୍ବା ବାୟୋମେଟ୍ରିକ୍ ଡାଟା ଅପଡେଟ୍, କେବଳ ଆଧାର କେନ୍ଦ୍ରରେ ହିଁ କରାଯାଇପାରିବ ।