
- ହାଇକୋର୍ଟ ଅଧିବକ୍ତାଙ୍କୁ ସଦସ୍ୟ କରାଇଲେ ରାଜ୍ୟ ସଭାପତି
- ସଦସ୍ୟତା ଅଭିଯାନ ହେବ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ
- ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତିଙ୍କ ସମେତ ଅନ୍ୟାନ୍ୟ ବାର୍ ସଦସ୍ୟଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ
କଟକ(ସଂଜୟ ଶତପଥୀ)୦୪/୧୦/୨୦୨୪: ସମ୍ପୂର୍ଣ୍ଣ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ଗତ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ – ୨୦୨୪ କୁ ଗତିଶୀଳ କରିବା ସହ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ କରାଯାଉଛି । ବିଜେପିର ସଫଳତା ପଛରେ ଅଧିବକ୍ତାଙ୍କ ଅନେକ ବଡ ଭୂମିକା ରହିଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି କଟକ ଗସ୍ତରେ ଆସି ହାଇକୋର୍ଟ ଅଧିବକ୍ତାଙ୍କୁ ପାର୍ଟିର ସଦସ୍ୟ କରାଇଛନ୍ତି ।
ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ହାଇକୋର୍ଟ ପରିସରରେ ଥିବା ବାରିଷ୍ଟର ରଣଜିତ୍ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଶ୍ରୀ ସାମଲଙ୍କୁ ଆଧିବକ୍ତା ସ°ଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଓ କର୍ମକର୍ତ୍ତାଙ୍କ ସମେତ ଡେପୁଟି ସଲିସିଟର ଜେନେରାଲ, କ୍ଯାଟ ବାର୍ ର ସଦସ୍ୟଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ସମସ୍ତଙ୍କୁ ସାଙ୍ଗରେ ନେଇ ଏକ ବିଚାରଧାରାରେ ବିଶ୍ୱାସ ରଖି ଛିଡ଼ା ହୋଇଥିବା ଏହି ଦଳ ବହୁ ସଂଘର୍ଷ, ତପସ୍ୟା ପରେ ୧୮ କୋଟିରୁ ଉର୍ଦ୍ଧ୍ୱ ସଦସ୍ୟ ସହିତ ଆଜି ବିଶ୍ୱର ଏକ ନମ୍ବର ରାଜନୈତିକ ଦଳ ହୋଇପାରିଛି । ଗଣତାନ୍ତ୍ରୀକ ପ୍ରକ୍ରିୟାରେ ପ୍ରତି ୬ ବର୍ଷରେ ସଦସ୍ୟ ସଂଗ୍ରହ କରାଯାଏ । ପ୍ରଥମେ ପ୍ରାଥମିକ ସଦସ୍ୟ ହେବା ପରେ କାର୍ଯ୍ୟକର୍ତାମାନେ ସକ୍ରିୟ ସଦସ୍ୟ ହୁଅନ୍ତି । ଏହାପରେ ମଣ୍ଡଳ, ଜିଲ୍ଲା, ରାଜ୍ୟ ଏବଂ ରାଷ୍ଟ୍ରୀୟସ୍ତରୀୟ କମିଟି ନିର୍ବାଚନ ହୁଏ ।
ସମାଜର ସବୁଠାରୁ ତଳ ପାହାଚରେ ଥିବା ଲୋକଙ୍କ ସେବା କରିବା ଏବଂ ସେମାନଙ୍କୁ ଦଳର ବିଚାରଧାରା ସହ ଯୋଡ଼ିବା ସହିତ ସମାଜର ସବୁ ବର୍ଗ ଓ ସବୁସ୍ତରର ଲୋକଙ୍କୁ ସାଙ୍ଗରେ ନେଇ ଦଳକୁ ଆହୁରି ଶକ୍ତିଶାଳୀ କରାଯିବ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖୁଥିବା ଏହି ଦଳର ଆତ୍ମା ହେଉଛନ୍ତି ‘ସଦସ୍ୟ’ । ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି ଲୋକଙ୍କ ସେବା କରିବା ହେଉଛି ବିଜେପିର ଲକ୍ଷ୍ୟ । ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ଅଧିବକ୍ତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ଏହି ଗସ୍ତରେ ରାଜ୍ୟ ସଭାପତିଙ୍କ ସହ ପୂର୍ବତନ ମନ୍ତ୍ରୀ ସମୀର ଦେ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ମୁଖପାତ୍ର ଦିଲୀପ ମଲ୍ଲିକ,ବରିଷ୍ଠ ଅଧିବକ୍ତା ମିଲନ ବଡୁ,ଶିବା ମହାନ୍ତି,ବିବେକାନନ୍ଦ ନାୟକ, ମାନସ ମହାନ୍ତି,ବିଭୁ ନାୟକ, କୃଷ୍ଣ ଚନ୍ଦ୍ର ମହାପାତ୍ର, ନିକୁଞ୍ଜ ଦେଓ,ତପନ ଚାନ୍ଦ୍ , ଓମ୍ ପ୍ରକାଶ ରାୟ,ସ୍ମୃତି ପଟ୍ଟନାୟକ ପ୍ରମୁଖ ଯାଇଥିଲେ।



