ବାସ୍ତବ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’ ପୁରୀ- ସାଗରଦୀପ ମଝିରେ ଲ୍ୟାଣ୍ଡଫଲ କରିବ। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ଅତି ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁବ ବାତ୍ୟା । ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ ବୋଲି କୁହାଯାଇଛି ।
ବାତ୍ୟା ‘ଦାନା’ର ପ୍ରଭାବରେ ୨୪ ତାରିଖରେ ରାଜ୍ୟରେ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ରହିଛି ରେଡ୍ ୱାର୍ଣ୍ଣିଂ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଓ ଯାଜପୁରକୁ ରେଡ ୱାର୍ଣ୍ଣିଂ ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ସୂଚନନାଯୋଗ୍ୟ, ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।