ବାସ୍ତବ ବ୍ୟୁରୋ: ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନର ପ୍ରଥମ ପ୍ରାର୍ଥୀ ଭାବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପପୁଲାର ବା ଲୋକପ୍ରିୟ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି। ସ୍ୱିଙ୍ଗ ରାଜ୍ୟଗୁଡ଼ିକରେ ଟ୍ରମ୍ପ ବାଜିମାତ କରିଥିବାରୁ ସେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ଡୋନାଲ୍ଡ ଟ୍ରମ୍ପ ବାଜି ମାରିଛନ୍ତି । ତଥ୍ୟ ଅନୁଯାୟୀ, ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ହରାଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭, କମଳା ହ୍ୟାରିସଙ୍କୁ ୨୨୬ ଭୋଟ୍ ମିଳିଛି। ଡୋନାଲ୍ଡ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି।
ଉତ୍ତର କାରୋଲିନା ଓ ଜର୍ଜିଆ ଭଳି ସ୍ୱିଙ୍ଗ ଷ୍ଟେଟରେ ଟ୍ରମ୍ପ ଡେମୋକ୍ରାଟିକ ପ୍ରାର୍ଥୀ ତଥା ଉପ ରାଷ୍ଟ୍ରପତି କମଳା ହାରିସଙ୍କୁ ପରାସ୍ତ କରି ହ୍ୱାଇଟ ହାଉସକୁ ଯିବା ଏକ ପ୍ରକାରର ସୁନିଶ୍ଚିତ କରିଛନ୍ତି।
ବହୁମତ ପାଇଲା ପରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ଏହା ଐତିହାସିକ ବିଜୟ । ଏହାର ପୁରା ଶ୍ରେୟ ଦେଶବାସୀଙ୍କୁ ଯାଉଛି ବୋଲି କହିଛନ୍ତି ଟ୍ରମ୍ପ । ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ । ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ମୋର ସବୁ୍ କିଛି ଆମେରିକାବାସୀଙ୍କ ନିକଟରେ ସମର୍ପିତ ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟକୁ ନେଇ ସେ ଏକ ନିଆରା ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, “ମୁଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଏହି ବିଜୟ ତାଙ୍କର ନୀତି ଏବଂ ନେତୃତ୍ୱର ଶକ୍ତିକୁ ପ୍ରମାଣିତ କରେ।”
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୋଷ୍ଟରେ ମଧ୍ୟ କହିଛନ୍ତି,”ଐତିହାସିକ ନିର୍ବାଚନ ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ। ଆପଣ ଆପଣଙ୍କର ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢ଼ାଇବାକୁ ଯାଉଛନ୍ତି। ମୁଁ ଭାରତ-ଆମେରିକାର ସମ୍ପର୍କକୁ ବ୍ୟାପକ କରିବାକୁ ଏବଂ ବିଶ୍ୱସ୍ତରରେ ଆହୁରି ଦୃଢ଼କରିବାକୁ ଅପେକ୍ଷା କରିଛି। ମୁଁ ଆମର ସହଯୋଗକୁ ମଜବୁତ ଏବଂ ଏହକୁ ନବୀକରଣ କରିବାକୁ ଆଗ୍ରହୀ। ଆସନ୍ତୁ ଆମେ ମିଳିମିଶି ଆମର ଲୋକମାନଙ୍କର କଲ୍ୟାଣ ପାଇଁ ତଥା ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତାକୁ ପ୍ରୋତ୍ସାହିତ କରିବା ବୋଲି ମୋଦୀ କହିଛନ୍ତି।”