ବାସ୍ତବ ବ୍ୟୁରୋ: ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଥିରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ତେଣୁ ଡିଜିପି ଓ ଆଇଜି ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ସୁରକ୍ଷା କଡାକଡି କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଶୁକ୍ରବାର ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ଏହାପରେ ସୁରକ୍ଷା ବଳୟ ମଧ୍ୟରେ ଅପରାହ୍ନ ୫ଟା ୧୫ରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିବେ । ରାଜଭବନରେ ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ରହିବେ।
ଏହାପରେ ୬ଟା ୨୦ରୁ ରାଜଭବନରୁ ବାହାରି ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଯିବେ। ସେଠାରେ ଦଳୀୟ ବିଧାୟକ, ମନ୍ତ୍ରୀ, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଏମ୍ପିମାନଙ୍କ ସହ ବୈଠକ କରିବେ। ଏହି ଅବସରରେ ସେ ଉଭୟ ଦଳ ଓ ସରକାରୀ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିବେ। ୭ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ରାତ୍ରିଭୋଜନ କରିବେ। ୮ଟା ୩୦ରେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ୮ଟା ୪୫ରେ ରାଜଭବନରେ ପହଞ୍ଚିବେ। ସେଠାରେ ରାତ୍ରିଯାପନ କରିବେ।
ଏହାପରେ ନଭେମ୍ବର ୩୦ ତାରିଖ ପୂର୍ବାହ୍ନ ୮ଟା ୩୦ରେ ରାଜଭବନରୁ ବାହାରି ସିଧାସଳଖ ଲୋକସେବା ଭବନ କନ୍ଭେନସନ ସେଣ୍ଟରଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ ଯୋଗଦେବେ। ସେଠାରେ ସେ ରାତି ୮ଟା ପର୍ଯ୍ୟନ୍ତ ରହିବେ। ଏହାପରେ ସେ ରାତି ୮ଟାରେ ସିଧାସଳଖ ରାଜଭବନ ଯିବେ।
ସେହିପରି ଡିସେମ୍ବର ୧ ତାରିଖ ପୂର୍ବାହ୍ନ ୮ଟା ୨୫ରେ ରାଜଭବନରୁ ବାହାରି ୮ଟା ୩୦ରେ ଡିଜିପି ସମ୍ମିଳନୀରେ ଯୋଗଦେବେ। ଅପରାହ୍ନ ୪ଟା ୧୫ ପର୍ଯ୍ୟନ୍ତ କନ୍ଭେନସନ ସେଣ୍ଟରଠାରେ ରହିବେ। ଏହାପରେ ଅପରାହ୍ନ ୪ଟା ୩୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ୍ କରି କଡ଼ା ଯାଞ୍ଚ କରୁଛନ୍ତି ପୁଲିସ ଓ ବିଏସଏଫ । ଭୁବନେଶ୍ୱର ଭିତରକୁ ଆସୁଥିବା ଗାଡ଼ି ଓ ବାହାରକୁ ଯାଉଥିବା ସମସ୍ତ ଗାଡ଼ିର ତନଖି କରାଯାଉଛି । ପିଏମଙ୍କ ଗସ୍ତ ପାଇଁ ରାତିସାରା ଭୁବନେଶ୍ବରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ କଡ଼ା ଚେକିଂ କରାଯାଇଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି। କାର୍ଯ୍ୟକ୍ରମ ସମୟରେ ଏହି ସବୁ ସ୍ଥାନରେ କୌଣସି ଡ୍ରୋନ୍ ଉଡ଼ି ପାରିବ ନାହିଁ।